ଶୀଘ୍ର କରୋନା ଟିକା ଆଣିବାକୁ ଯାଉଛି ଆମେରିକାର ଫାଇଜର କମ୍ପାନି : ଜରୁରୀ ଭିତ୍ତିରେ ଟିକାକୁ ଅନୁମତି ଦେବାକୁ ଆବେଦନ କରିବ କମ୍ପାନି

100

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ପ୍ରଥମ ଟିକା ଆଣିବାକୁ ଯାଉଛି ଆମେରିକାର ଫାଇଜର ଫାର୍ମା କଂପାନୀ । ଜରୁରୀ ଭିତିରେ ଟିକାକୁ ଅନୁମତି ଦେବା ପାଇଁ ଆମେରିକାର ରେଗୁଲେଟୋରି ଅଥରିଟିକୁ ଆବେଦନ କରିବାକୁ ଯାଉଛି ଫାଇଜର କଂପାନୀ । କରୋନା ଟିକାକୁ ସାରା ବିଶ୍ୱ ଚାହିଁ ବସିଥିବାବେଳେ ଆମେରିକାର ଫାଇଜର ଫାର୍ମା କଂପାନୀ ପକ୍ଷରୁ କୁହାଯାଇଛି । ଚୂଡ଼ାନ୍ତ ପରୀକ୍ଷଣରେ ୯୫ ପ୍ରତିଶତ ଫଳପ୍ରଦ ହୋଇଛି ।

ପ୍ରଥମ ଡୋଜ୍ ଦେବାର ୨୮ ଦିନ ପରେ ଏଭଳି ଆଶ୍ୱସ୍ତିକର ତଥ୍ୟ ସାମନାକୁ ଆସିିଛି । ଏହା ସହ ବିଶେଷ କିଛି ପାଶ୍ୱର୍ ପ୍ରତିକ୍ରିୟା ନଥିବାରୁ ଏହା ବେଶ ସୁରକ୍ଷିତ ବୋଲି ଦାବି କରିଛି କଂପାନୀ । ଏହାପୂର୍ବରୁ ଏହି ଟିକା ୯୦ ପ୍ରତିଶତ ଫଳପ୍ରଦ ହେଉଛି ବୋଲି କଂପାନୀ ପକ୍ଷରୁ କୁହାଯାଇଥିଲା । ଏହା ପରେ ଚୂଡ଼ାନ୍ତ ପରୀକ୍ଷଣ ସଫଳତା ହାର ୯୫ ପ୍ରତିଶତ ଆସିଛି । ଦୁଇ ଦିନ ତଳେ ମଡର୍ନା ଟିକାର ସଫଳତା ୯୪.୫ ପ୍ରତିଶତ ବୋଲି କୁହାଯାଇଥିଲା ।

ଫାଇଜର କଂପାନୀ, ବ୍ୟାପକ ଆକାରରେ ଟିକକା ପ୍ରସ୍ତୁତି କରିବାରେ ପ୍ରଥମ କଂପାନୀ ହେବ ବୋଲି କୁହାଯାଉଛି । ତେବେ ଏହା ଭାରତରେ ବ୍ୟବହାର ହୋଇପାରିବ କି ନାହିଁ, ଏ ନେଇ ବଡ଼ ପ୍ରଶ୍ନଚିହ୍ନ ଲାଗିଛି । କାରଣ ଫାଇଜର ଟିକାକୁ ରଖିବା ଓ ପରିବହନ ପାଇଁ ମାଇନସ୍ ୭୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଆବଶ୍ୟକ । ତେଣୁ ଏହି ଟିକା ଭାରତରେ ବଡ଼ ଆହ୍ୱାନ ସୃଷ୍ଟି କରିପାରେ ।