ତେଜୁଛି ବିଜେଡି-ବିଜେପି ଆରୋପ, ପ୍ରତ୍ୟାରୋପ । ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲେ ଦୁଇ ଦଳ ।

99

କନକ ବ୍ୟୁରୋ: ନିର୍ବାଚନୀ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ନିର୍ବାଚନ କମିସନଙ୍କ ପାଖରେ ଫେରାଦ । ଉଭୟ ବିଜେପି ଓ ବିଜେଡିର ପ୍ରତିନିଧି ଦଳ କମିସନଙ୍କୁ ଭେଟି ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେପିର ପ୍ରତିନିଧି ଦଳ ନିର୍ବାଚନ କମିସନଙ୍କୁ ଭେଟି ଏକାଧିକ ଅଭିଯୋଗ ଆଣିଛନ୍ତି । ପ୍ରଶାସନିକ ଅଧିକାରୀ ଶାସକ ଦଳ ପାଇଁ ପ୍ରଚାର କରୁଛନ୍ତି । ମାଲକାନଗିରିର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଲାଞ୍ଚ ଦେବା ଘଟଣାରେ ସରକାରୀ କର୍ମଚାରୀଙ୍କୁ ସଂପୃକ୍ତି, ନିର୍ବାଚନ କମିସନଙ୍କ ଗାଇଡଲାଇନ ସତ୍ତ୍ୱେ ଆଠମଲ୍ଲିକ କିଶୋର ନଗର ବ୍ଲକ ଅଧ୍ୟକ୍ଷା ନିଜ ଜିଲ୍ଲାରେ ପତାକା ଉତ୍ତୋଳନ କରିବା । ଚିକିଟିର ପାତ୍ରପୁର ବ୍ଲକ ଆଙ୍କୁଳି ପଞ୍ଚାୟତର ଏକମାତ୍ର ବିଜେପି ପ୍ରାର୍ଥୀ ନମିତା ନାୟକଙ୍କ ପ୍ରାର୍ଥୀପତ୍ର ଚୋରି ବାହାନାରେ ପୁଣି ନିର୍ବାଚନ କରାଯାଉଥିବା ଅଭିଯୋଗ କରିଛି ବିଜେପି । ଏସବୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି । ସେହିପରି ବିଜେଡିର ଏକ ପ୍ରତିନିଧି ଦଳ ନିର୍ବାଚନ କମିସନଙ୍କୁ ଭେଟି ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି । ଭଦ୍ରକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କର୍ମୀଙ୍କୁ ଠାକୁରଙ୍କ ନାଁ ନେଇ ଭୋଟ ଦେବାକୁ ଶପଥ କରାଉଥିବା ଭିଡିଓ ଭାଇରାଲ ହେଉଛି । ଏହାର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି ।