କନକ ବ୍ୟୁରୋ: ରୋଜଗାର ଦେଉଛି ଏମ୍ଏମ୍ ଲଜିଷ୍ଟିକ୍ କୋଇଲା ଡମ୍ପିଂ ୟାର୍ଡ । କରୋନା କାଳରେ କାମ ପାଇଛନ୍ତି ଗ୍ରାମବାସୀ । କିନ୍ତୁ କିଛି ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କୁ ବିରୋଧ କରି ଆଠମଲ୍ଲିକ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ । ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ କୋଇଲା ଡମ୍ପିଂୟାର୍ଡକୁ ବିରୋଧ କରି କିଛି ଗ୍ରାମବାସୀ ରେଳ ରୋକ କହିଛନ୍ତି । ଦୁଇ ଗୋଷ୍ଠୀଙ୍କ ଲଢେଇ ଭିତରେ ଘାଂଟି ହେଉଛି ଅନୁଗୁଳ ଜିଲ୍ଲା ପ୍ରଶାସନ ।
ଅନୁଗୁଳ ହଣ୍ଡପା ରେଳ ଷ୍ଟେସନ ନିକଟରେ ରହିଛି ଏମ୍ଏମ୍ ଲଜିଷ୍ଟିକ୍ କୋଇଲା ଡମ୍ପିଂୟାର୍ଡ । ଏଠାରେ କାମ କରି ପରିବାର ପୋଷୁଛନ୍ତି ନିକଟସ୍ଥ ୪ଟି ପଂଚାୟତର ଲୋକେ । କରୋନା କାଳରେ କାମ ନପାଇ ଘରେ ବସିଥିବା ଶ୍ରମିକଙ୍କୁ କାମ ଦେଇଛି ଏହି ଡମ୍ପିଂୟାର୍ଡ । କିନ୍ତୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏହାକୁ ବିରୋଧ କରି ବନ୍ଦ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ଡମ୍ପିଂୟାର୍ଡ ସପକ୍ଷବାଦୀ । କୋଇଲା ପରିବହନ ଚାଲୁ ରଖିବା ସହ ପାନୀୟ ଜଳ ଯୋଗାଇ ଦେବା ଭଳି ୧୨ଟି ଦାବି କରିଛି ମିଳିତ ପ୍ରଜାସଂଘ ।
ଅନୁଗୁଳ ଜିଲ୍ଲା ପ୍ରଶାସନ, ରେଳ ବିଭାଗ ଓ କେନ୍ଦ୍ର ସରକାରଙ୍କ ଅନୁମତି ପରେ ହଣ୍ଡପା ରେଳ ଷ୍ଟେସନ ନିକଟରେ ଲଜେଷ୍ଟିକ୍ କୋଇଲା ଡମ୍ପିଂୟାର୍ଡ ହୋଇଛି । ତାଳଚେରର ବିଭିନ୍ନ ଖଣିରୁ କୋଇଲା ଆଣି ଏଠାରେ ରଖାଯାଏ । ପରେ ଟ୍ରେନ ଯୋଗେ ରାଜ୍ୟ ଓ ରାଜ୍ୟ ବାହାର ଶିଳ୍ପାନୁଷ୍ଠାନକୁ ପଠାଯାଉଛି । ଏହାଦ୍ୱାର ବହୁ ଲୋକଙ୍କୁ ଚାକିରି ମିଳିଛି, କିନ୍ତୁୁ ପରିବେଶ ପ୍ରଦୂଷଣ ହେଉଛି । ତେଣୁ ଅନେକ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ରେଳରୋକ କରିଛନ୍ତି ।
ପରିବେଶ ସୁରକ୍ଷା ପାଇଁ କିଛି ଲୋକେ କୋଇଲା ଡମ୍ପିଂୟାର୍ଡକୁ ବିରୋଧ କରୁଥିବା ବେଳେ ଏଠାରେ କାମ କରି ଦୁଇ ପଇସା ରୋଜଗାର କରୁଥିବା ବ୍ୟକ୍ତି ଏହାର ସପକ୍ଷରେ ବାହାରିଛନ୍ତି । ଏହି ଲଢେଇ ଭିତରେ ପ୍ରଶାସନ କି ନିଷ୍ପତି ନେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।