କନକ ବ୍ୟୁରୋ: ବୋଉ ବାହୁନି କାନ୍ଦୁଛି, ବାପା ଝିଅଙ୍କ ଫଟୋକୁ ଧରି ସ୍ଥାଣୁ ପାଲଟିିଛି । ଘର ଅଗଣାରୁ କାନ୍ଥବାଡ଼ ଯାଏଁ ଶୁଭୁଛି ଜୀବନର ମୂଲ୍ୟବାନ ସମ୍ପତ୍ତି ହରେଇବାର ହୃଦୟଫଟା ଚିତ୍କାର । କାରଣ ଯେଉଁ ବଡ଼ ଝିଅ ବାପାକୁ ଆଉ ଅଟୋ ଚଲାଇବାକୁ ଦେବନି ବୋଲି କହୁଥିଲା ସେ ସବୁଦିନ ପାଇଁ ଶୋଇପଡ଼ିଲା । ଦୁଃଖ ଦୁଇଗୁଣା ହୋଇଗଲା, ଯେତେବେଳେ ବଡ଼ଝିଅ ପଛେ ପଛେ ସାନ ଝିଅର ଜୀବନ ଚାଲିଗଲା । କିନ୍ତୁ ସବୁକିଛି ହରାଇଥିବା ଜଣେ ଅଟୋବାଲା ବାପା ନିଜ ମୃତ ଝିଅଙ୍କ ଆଖିଦାନ କରି ପାଲଟିଯାଇଛନ୍ତି ପ୍ରେରଣାର ପର୍ବତ ।
ଏକାସାଙ୍ଗେ ଦୁଇ ଝିଅଙ୍କୁ ହରାଇଥିବା ଭୁବନେଶ୍ୱର ଶାସ୍ତ୍ରୀ ନଗରର ଅଟୋବାଲା ସମରେନ୍ଦ୍ର ସାହୁ । ଶରୀରର ଦୁଇ ବାହୁ ବୋଲାଉଥିଲେ ବଡ଼ ଝିଅ ଶୁଭଲକ୍ଷ୍ମୀ ଓ ସାନ ଝିଅ ଭାଗ୍ୟଲକ୍ଷ୍ମୀ । ଗରିବୀର ଛାତ ତଳେ ବରଗଛ ଭଳି ବିଶ୍ୱାସ ନେଇ, ବଡ଼ ଝିଅ ପାଇଥିଲା ବଡ଼ ଚାକିରି । ଚାଟାର୍ଡ ଆକାଉଟାଂଟ୍ ଶୁଭଲକ୍ଷ୍ମୀ ନାଇଜରରେ ବାର୍ଷିକ ୨୨ ଲକ୍ଷ ଟଙ୍କାର ପ୍ୟାକେଜ୍ ପାଇଥିଲେ । ଆଉ ସାନ ଝିଅ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ସାଇନ୍ସରେ ଗ୍ରାଜୁଏସନ୍ କରୁଥିଲେ । ହେଲେ ନିୟତିର ଲେଖା କିଛି ଅଲଗା ଥିଲା, ଫୁଡ୍ ପଏଜନ ହେତୁ ଦୁଇ ଝିଅଙ୍କ ଜୀବନ ଆଗ ପଛ ହୋଇ ଚାଲିଗଲା । ଜଣେ ଅଟୋବାଲା ବାପର ସ୍ୱପ୍ନ ହଜାରେ ଥିଲା କିନ୍ତୁ ସାକାର ହେବା ବଦଳରେ ଅଧାବାଟରେ ସେ ଅଟକିଗଲା ।
ଦଇବ ସିନା ଦୁଃଖର ଦାରୁଣ ଦୁର୍ଗ ଛିଡ଼ାକରିଦେଲା, ହେଲେ ଦୁଃଖର ଦଦରା କାନ୍ଥ ଡେଇଁ ସାହସ ଜୁଟାଇଲେ ସମରେନ୍ଦ୍ର । ଦୁଇ ଝିଅଙ୍କ ମୃତ୍ୟୁ ପରେ ବି ସେମାନଙ୍କୁ ଆଖିଆଗରେ ଦୁରେଇ ନଦେବା ପାଇଁ ଦାନ କରିଦେଲେ ଦୁଇ ଝିଅଙ୍କ ଆଖି । ଦୁଇ ଝିଅଙ୍କ ଆଖି ଏବେ ଅନ୍ୟ କାହାର ଅନ୍ଧାରି ଦୁନିଆରେ ଆଲୋକ ଭରୁଛି । ‘ମୋ ପରିବାର’ ସହାୟତାରେ ଅଟୋବାଲା ବାପା କରିଥିବା ମହତ କାମ ପାଇଁ ସବୁଠି ପ୍ରଶଂସା କରାଯାଉଛି । ଏନେଇ ସମରେନ୍ଦ୍ର କୁହନ୍ତି ଆମେ ମରିଗଲେ ପୋଡ଼ି ପାଉଁଶ ହେଇଯାଉଛେ କିନ୍ତୁ ପାଉଁଶ ପୂର୍ବରୁ କାହାକୁ ଅଙ୍ଗଦାନ କରି ଖୁସିଦେଇପାରିବା ।
କେବଳ ଏତିକି ନୁହେଁ ସମରେନ୍ଦ୍ରଙ୍କ ବିଶାଳ ହୃଦୟ ଓ ବଡ଼ପଣ ଏମିତି ଯେ, ଦୁଇ ମୃତ ଝିଅଙ୍କ ଚକ୍ଷୁଦାନ ପରେ ନିଜେ ଓ ତାଙ୍କ ପତ୍ନୀଙ୍କର ଅଙ୍ଗଦାନ କରିବୁ ବୋଲି କହିଛନ୍ତି । ମୋ ଝିଅମାନେ ଆଜି ନାହାନ୍ତି କିନ୍ତୁ ତାଙ୍କ ଆଖିରେ ଆଜି ଆଉ କିଏ ଦୁନିଆ ଦେଖୁଛି ଯାହା ଆମ ଝିଅମାନେ ଜୀବିତ ଥିବାର ଅନୁଭବ କରାଉଛି । ତଣେୁ ସମସ୍ତଙ୍କୁ ଅଙ୍ଗଦାନ କରିବାକୁ ଅନୁରୋଧ କରିଛନ୍ତି ଅଟୋବାଲା ସମରେନ୍ଦ୍ର ସାହୁ ।