ଯୋଡାମୁଣ୍ଡା ଶିଶୁ କାଳିଆର ମୃତ୍ୟୁ ପରେ କନ୍ଧମାଳରେ ହେଲା ଅନ୍ତେଷ୍ଟି :  ଶୋକାକୂଳ ପରିବେଶ ଭିତରେ ଅନ୍ତିମ ସଂସ୍କାର

 ସେପ୍ଟିସେମିଆରେ ଚାଲିଗଲା ଜୀବନ; ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା, ସୁସ୍ଥ ଅଛି ଜଗା

790

କନକ ବ୍ୟୁରୋ : କନ୍ଧମାଳର ବହୁଚର୍ଚ୍ଚିତ ଯୋଡାମୁଣ୍ଡା ଶିଶୁ କାଳିଆର ମୃତ୍ୟୁ ପରେ ଶୋକାକୂଳ ପରିବେଶ ମଧ୍ୟରେ ସଂପର୍ଣ୍ଣ ହୋଇଛି ଅନ୍ତିମ ସଂସ୍କାର । ନିଜ ଭିଟାମାଟି ମେଲୁପଡାରେ କରାଯାଇଛି ଶବଦାହ । ଗତ କାଲି ରାତି ୯ଟାରେ ଏସିବିରେ ଆଖି ବୁଜିଥିଲା କାଳିଆ । ତାର ମୃତ୍ୟୁ ଖବର ପରେ ଗତକାଲିଠୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମେଲୁପଡାରେ ଶୋକର ଛାୟା ଖେଳିଯାଇଥିଲା । ଆଜି ଭୋର୍ ୫ଟା ବେଳେ ମେଲୁପଡାରେ ପହଂଚିଥିଲା କାଳିଆର ମୃତଦେହ । ସେଠାରେ ଶୋକାକୂଳ ପରିବେଶ ଭିତରେ ଶେଷ ହୋଇଛି ଶବ ସଂସ୍କାର । କାଳିଆର ବାପା ମୁଖାଗ୍ନି ଦେଇଥିଲେ ।

କାଳିଆର ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କାଳିଆର ମୃତ୍ୟୁ ମାମଲାରେ ମର୍ମାହତ ବୋଲି ସେ କହିଛନ୍ତି । ଏତେ ବଡ଼ ଡ଼ାକ୍ତର ଟିମ୍ କାଳିଆକୁ ବଂଚାଇ ପାରିଲାନି ବୋଲି ସେ କହିଛନ୍ତି । ଏମ୍ସରୁ ବାହାରିବା ପରେ ତା ଦେହ ଭଲ ନଥିଲା । ତା ଚିକିତ୍ସା ପାଇଁ ବହୁତ ଚେଷ୍ଟା କରାଯାଇଥିଲା । ଏବେ ଜଗା ସୁସ୍ଥ ଅଛି । ଯଦି ତାର ଦେହ ଖରାପ ହୋଇ ବାହାରକୁ ଯିବାର ଆବଶ୍ୟକ ପଡ଼େ ତେବେ ଏମ୍ସ ପଠାଯିବ । ଜଗାର ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ କରିବାକୁ ପ୍ରସ୍ତୁତ ଅଛନ୍ତି । ସେମାନଙ୍କୁ ମନିଟର କରୁଥିବା ଡ଼ାକ୍ତର ଅଶୋକ ମହାପାତ୍ରଙ୍କ ପରାମର୍ଶ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ, ବଳିଆର ମୃତ୍ୟୁ ଖବର ଆସିବା ପରେ ଟୁଇଟ କରି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଡାକ୍ତରମାନଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ ବଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ।