ରୁଷିଆ ନେତୃତ୍ୱରେ ଆୟୋଜନ ହେଉଛି ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀ : ଭର୍ଚୁଆଲ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଆତଙ୍କବାଦ, ବାଣିଜ୍ୟ ଓ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ହେବ ଆଲୋଚନା

ଲଦାଖ ସୀମାରେ ଉତେଜନା ଭିତରେ ଦ୍ୱିତୀୟଥର ସାମ୍ନାସାମ୍ନି ହେବେ ମୋଦି ଓ ଜିନପିଙ୍ଗ

120

କନକ ବ୍ୟୁରୋ : ବ୍ରିକ୍ସ ରାଷ୍ଟ୍ର ସମୁହର ଦ୍ୱାଦଶତମ ସମ୍ମିଳନୀରେ ଆଜି ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୁଷିଆ ନେତୃତ୍ୱରେ ଆୟୋଜନ ହେଉଥିବା ଏହି ଭର୍ଚୁଆଲ ସମ୍ମିଳନୀରେ ଦ୍ୱୀତୀୟଥର ସାମ୍ନାସାମ୍ନି ହେବେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀଚ ରାଷ୍ଟ୍ରପତି ସି ଜିନପିଙ୍ଗ । ଗତ ୧୦ ତାରିଖରେ ସାଂଘାଇ କୋ-ଅପରେସନ୍ ଅର୍ଗାନାଇଜେସନର ବାର୍ଷିକ ସମ୍ମିଳନୀରେ ଦୁଇ ନେତା ସାମିଲ ହୋଇଥିଲେ । କିନ୍ତୁ ବ୍ରିକ୍ସ ସମ୍ମଳନୀକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

କାରଣ ଏଠାରେ ଆତଙ୍କବାଦ, ବାଣିଜ୍ୟ, ସ୍ୱାସ୍ଥ୍ୟ ଓ ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରସ୍ପର ସହଭାଗିତା ନେଇ ଚର୍ଚ୍ଚା ହେବ । ପୂର୍ବ ଲଦାଖ ସୀମାରେ ଭାରତ ଓ ଚୀନ ସେନା ଗତ ୬ ମାସ ହେଲା ମୁହାଁମୁହିଁ ଅବସ୍ଥାରେ ଥିବାରୁ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହେବ ନା ନାହିଁ ତା ଉପରେ ନଜର ରହିଛି । ବ୍ରାଜିଲ-ରୁଷିଆ-ଭାରତ-ଚୀନ-ଦକ୍ଷିଣ ଆଫ୍ରିକା ୫ଟି ଦେଶକୁ ନେଇ ବ୍ରିକ୍ସ ରାଷ୍ଟ୍ର ସମୁହର ବାର୍ଷିକ ସମ୍ମିଳନୀରେ ଏଥର ବିଷୟବସ୍ତୁ ରହିଛି ବିଶ୍ୱରେ ସ୍ଥିରତା, ପ୍ରତିରକ୍ଷା ସହଭାଗିତା ଓ ଚମତ୍କାରୀ ବିକାଶ ।

ହେଲେ ସୀମାରେ ଚୀନର ବିସ୍ତାରବାଦ ନୀତିକୁ ବିରୋଧ କରି ଭାରତ ସରକାର ଯେଉଁଭଳି କଠୋର ବାଣିଜ୍ୟିକ କଟକଣାମାନ ଲଗାଇଛନ୍ତି, ତାକୁ ଦେଖି ବ୍ରିକ୍ସ ସମ୍ମଳନୀର ଗୁରୁତ୍ୱ ଆହୁରି ବଢିଯାଇଛି । ବିଶ୍ୱ କରୋନା ସଂକଟ ସହିତ ଲଢେଇ କରୁଥିବାରୁ ସମ୍ମିଳନୀରେ ଏହାର ମିଳିତ ମୁକାବିଲା ନେଇ ରୋଡମ୍ୟାପ ପ୍ରସ୍ତୁତ ହୋଇପାରେ । ଆଗାମୀ ୨୦୨୧ରେ ତ୍ରୟୋଦଶ ବ୍ରିକ୍ସ ସମ୍ମିଳନୀକୁ ଆୟୋଜନ କରିବ ଭାରତ । ତେବେ ଏହା ପୂର୍ବରୁ ଚଳିତମାସରେ ପୁଣି ଜି-୨୦ ସମ୍ମିଳନୀରେ ଏକାଠି ଯୋଗ ଦେଇପାରନ୍ତି ମୋଦି ଓ ଜିନପିଙ୍ଗ ।