କନକ ବ୍ୟୁରୋ : କିଛିଦିନ ତଳେ ଜାମ୍ମୁ-କାଶ୍ମୀରର ନଗରୋଟାରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ । ଆଉ ଏବେ ପାକିସ୍ତାନରୁ ଭାରତକୁ ଆତଙ୍କବାଦୀ ପଠାଇବା ପାଇଁ ତିଆରି ସୁଡଙ୍ଗର ପର୍ଦ୍ଦାଫାସ ହୋଇଛି । ଜାମ୍ମୁ-କାଶ୍ମୀରର ଭାରତୀୟ ସୀମାରେ ରହିଛି ଏହି ସୁଡଙ୍ଗ । ଯେଉଁ ରାସ୍ତା ଦେଇ ଗୋପନରେ ଭାରତ ମାଟିକୁ ଆତଙ୍କବାଦୀ ପଠାଉଛି ସଇତାନ ପାକିସ୍ତାନ ।

Advertisment

ସଲମାନ ଖାନ୍ ଅଭିନୀତ ଏହି ସୁପରହିଟ ଫିଲ୍ମ ବଜରଙ୍ଗୀ ଭାଇଜାନର ଦୃଶ୍ୟ ଆପଣଙ୍କର ମନେଥିବ । ମୁନିକୁ ପାକିସ୍ତାନରେ ପହଂଚିଇବା ପାଇଁ ସଂକଳ୍ପ ନେଇଥିବା ବଜରଙ୍ଗୀ ଭାଇଜାନ କିଭଳି ଭାରତ-ପାକିସ୍ତାନ ସୀମାରେ ଲାଗିଥିବା ତାରବାଡ ତଳେ ସୁଡଙ୍ଗ ଦେଇ ପାକିସ୍ତାନ ମାଟିରେ ପହଂଚି ଯାଉଥିଲେ । ବିନା ଭିସାରେ ବେଆଇନ ଭାବେ ପଡୋଶୀ ମାଟିରେ ଦାଖଲ ହେବାକୁ ଏହିଭଳି ଏକାଧିକ ଗୁପ୍ତ ସୁଡଙ୍ଗ ରହିଥିବା ବୋଧହୁଏ ପ୍ରଥମଥର ଦେଖିଥିଲେ ଦେଶବାସୀ ।

ଫିଲ୍ମର ଏହି ଦୃଶ୍ୟ ହୁଏତ ଅନେକଙ୍କୁ କାଳ୍ପନିକ ମନେ ହୋଇଥିବ । କାରଣ କାହାଣୀକୁ ରୋଚକ କରିବା ପାଇଁ ଅନେକ ସମୟରେ ଏହିଭଳି ପ୍ଲଟ୍ ଯୋଡି ଦିଆଯାଏ । ହେଲେ ଭାରତ-ପାକିସ୍ତାନ ସୀମାରେ ଯେ ଏହିଭଳି ସତସତିକା ସୁଡଙ୍ଗ ରହିଛି ତାହା ପ୍ରଥମଥର ସାମ୍ନାକୁ ଆସିଛି ।
ଭାରତ-ପାକିସ୍ତାନ ସୀମାର ଏହି ଦୃଶ୍ୟ, ବିଏସଏଫ ଓ ଜାମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନ୍ ସମୟର । ଏହା ଏକ ସୁଡଙ୍ଗ । ଏଠାରେ ଦଉଡି ବି ରହିଛି । ଏବଂ ଏହା ଆତଙ୍କର ସେହି ରାସ୍ତା, ଯେଉଁ ରାସ୍ତାଦେଇ ଆତଙ୍କବାଦୀ ଅନୁପ୍ରବେଶ କରନ୍ତି ।

ମାଟିତଳେ ଏହି ମେଡଇନ୍ ପାକିସ୍ତାନ ସୁଡଙ୍ଗ ସଇତାନ ଷଡଯନ୍ତ୍ରର ସଂପୂର୍ଣ୍ଣ ପ୍ରମାଣ ହୋଇ ସାମ୍ନାକୁ ଆସିଛି । ନଗରୋଟାରେ ନିପାତ ଆତଙ୍କବାଦୀଙ୍କ ଏହା ଥିଲା ଭାରତରେ ଦାଖଲ ହେବାର ସିକ୍ରେଟ୍ ରୁଟ୍ । ଆତଙ୍କବାଦୀ ଏହି ରାସ୍ତାରେ ଭାରତ ମାଟିରେ ପହଂଚିଥିଲେ । ଏହି ଦଉଡିକୁ ବ୍ୟବହାର କରିଥିଲେ । ଏବଂ ଭାରତରେ ଦାଖଲ ହେବାପରେ ଏହି ସୁଡଙ୍ଗକୁ ବାଲିବସ୍ତା ଦେଇ ବନ୍ଦ କରିଦେଲେ । ଏବେ ଟିକେ ଏହି ଆତଙ୍କୀ ସୁଡଙ୍ଗର ପୁରା ସତ ଜାଣନ୍ତୁ ।

ଏହି ସୁଡଙ୍ଗର ପ୍ରବେଶ ପଥ ଭାରତ ସୀମା ଆରପଟେ ପାକିସ୍ତାନରେ ରହିଛି । ହେଲେ ଏହାର ପ୍ରସ୍ଥାନ ରହିଛି ଜାମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ । ଯେଉଁ ରାସ୍ତା ଦେଇ ନାଗରୋଟାରେ ପହଂଚିଥିଲେ ପାକିସ୍ତାନୀ ଆତଙ୍କବାଦୀ । ହେଲେ ସେମାନଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ ।

୨୬/୧୧ ଭଳି ଆତଙ୍କୀ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଭାରତ ମାଟିରେ ପ୍ରବେଶ କରିଥିବା ଆତଙ୍କବାଦୀଙ୍କୁ ଏନକାଉଂଟର କରିଥିଲେ ଭାରତୀୟ ଯବାନ । ଏବେ ଏହି ଆତଙ୍କବାଦୀଙ୍କୁ ଯେଉଁ ରାସ୍ତା ଦେଇ ପହଂଚାଇଥିଲା ପାକିସ୍ତାନ, ତାର ସନ୍ଧାନ ବି ମିଳିିସାରିଛି । ଭିଡିଓରୁ ଜଣାପଡୁଛି ଏହି ଟେରର ଟନେଲ ଦେଇ ଆତଙ୍କୀ ପାକିସ୍ତାନରୁ ଆସି ଭାରତରେ ପହଂଚିଥିଲେ ।