କନକ ବ୍ୟୁରୋ: ଖରା ନୁହେଁ ଶୀତ ଦିନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ପାଣି ବାଲିଟିଏ ପାଇଁ ରାତି ପାହିଲେ କସରତ କରିବାକୁ ପଡୁଛି । ଗରା ବାଲିଟି ଧରି ନଳକୂଅ ନିକଟରେ ଭିଡ ଲଗାଇବାକୁ ପଡୁଛି । ପୁଣି ନଳକୂଅରୁ ଗୋଳିଆ ପାଣି ବାହାରୁଛି । ତେଣୁ ପୋଖରୀ ଓ ଚୁଆ ପାଣିକୁ ହିଁ ଭରସା କରିବାକୁ ପଡୁଛି । ଏସବୁ ଦୃଶ୍ୟ ଦେଖିବା ପରେ ଗୋଟିଏ କଥା କୁହାଯାଇ ପାରେ, ଏଠି ବିଶୁଦ୍ଧ ପାଣି ଟୋପାଏ ପାଇବା ସ୍ୱପ୍ନ ପାଲଟିଯାଇଛି ।

Advertisment

ବାଲେଶ୍ୱର ଔପଦା ବ୍ଲକ ଶ୍ୟାମସୁନ୍ଦର ପଂଚାୟତ ରଙ୍ଗମାଟିଆ ଗାଁରେ ପାଣି ପାଇଁ ନୟାନ୍ତ ହେଉଛନ୍ତି ଶତାଧିକ ପରିବାର । ଗାଁରେ ୪ଟି ନଳକୂପ ସହ ପାଣି ଟାଙ୍କି ଓ ଟ୍ୟାପ ଅଛି । ହେଲେ ସେଗୁଡିକ କାମରେ ଆସୁନାହିଁ । ଦୁଇଟି ନଳକୂପ ଅଚଳ ହୋଇପଡିଥିବା ବେଳେ ୨ଟିରୁ ଗୋଳିଆ ପାଣି ବାହାରୁଛି । ଜଳ ଯୋଗାଣ ପ୍ରକଳ୍ପ ବି କାର୍ଯ୍ୟରେ ଲାଗୁନାହିଁ । ତେଣୁ ଲୋକେ ପୋଖରି ପାଣି ପିଇ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।

ଗାଁରେ ଜଳ ସମସ୍ୟା ଆଜି କାଲିର ନୁହେଁ । ବର୍ଷ ବର୍ଷ ଧରି ପିଇବା ପାଣି ମୁନ୍ଦେ ପାଇଁ ସରପଂଚଙ୍କ ଠାରୁ ବିଧାୟକ ଓ ସାଂସଦଙ୍କୁ ଜଣାଇଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ।