ମହାରଥୀଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ବିବାଦ ଘେରରେ ଛନ୍ଦି ହେଲେ ସତ୍ୟବାଦୀ ବିଧାୟକ । ୨୮ ତାରିଖରେ କରୋନା ପିଜିଟିଭ୍ ଆସିଥିଲେ ଉମା ସାମନ୍ତରାୟ : ହସ୍ପିଟାଲରେ ଭର୍ତିଥିବା ବେଳେ ହଜାର ହଜାର ଲୋକଙ୍କ ଭିଡ଼ରେ ହେଲେ ସାମିଲ

286

କନକ ବ୍ୟୁରୋ : ରବିବାର ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରର ଦୃଶ୍ୟ । ମହାରଥୀଙ୍କ ଭଳି ଜଣେ ଲୋକପ୍ରିୟ ନେତାଙ୍କ ଯେତେବେଳେ ମୃତ୍ୟୁ ହୁଏ ସେତେବେଳେ ଶେଷ ବିଦାୟ ଏଭଳି ହେବା କିଛି ଅସ୍ୱାଭାବିକ ନୁହେଁ । କିନ୍ତୁ ଯଦି ଏହି ଭିଡରେ କରୋନା ଆକ୍ରାନ୍ତ ବ୍ୟକ୍ତି ସାମିଲ ହୁଅନ୍ତି ତେବେ ବିପଦ ବଢିଯାଇପାରେ ।

ଭିଡ ଭିତରେ କରୋନା ଆକ୍ରାନ୍ତ ବିଧାୟକ
ନିୟମ ଭାଙ୍ଗିଲେ ଉମା ସାମନ୍ତରାୟ

ସ୍ୱର୍ଗଦ୍ୱାରରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ସେପ୍ଟେମ୍ୱର ୨୮ ତାରିଖରେ ଉମା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଟୁଇଟ୍ କରିଥିଲେ ଏବଂ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ । ପଜିଟିଭ୍ ଚିହ୍ନଟ ହେବାର ମାତ୍ର ୭ ଦିନରେ ଉମା ସାମିଲ ହେବା ଘଟଣା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସବୁଠାରୁ ବଡ କଥା ହେଉଛି ଉମା ସାମନ୍ତରାୟ କରୋନା ଆକ୍ରାନ୍ତ ଥାଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେହିଠାରୁ ସିଧା ପହଁଚିଥିଲେ ଅନ୍ତେଷ୍ଟିକ୍ରିୟା ଚାଲିଥିବା ସ୍ୱର୍ଗଦ୍ୱାରରେ ।

ଉମାଙ୍କ ଭାବାବେଗରେ କୌଣସି ତୃଟି ନାହିଁ । କିନ୍ତୁ ସେ ଜାଣିବା ଦରକାର ଯେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ତାଙ୍କ ଠାରୁ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସଂଭାବନା ରହିଛି । ଏନେଇ ପୁରୀ ସମୁଦ୍ରକୂଳ ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । କରୋନା କାଳରେ ଅନ୍ତିମ ସଂସ୍କାର ପାଇଁ ସୀମିତ ଲୋକଙ୍କ ସମାଗମ ନେଇ ନିୟମ ରଖିଛନ୍ତି ସରକାର ।

ମାତ୍ର ୨୦ ଜଣ ଲୋକ ଅନ୍ତିମ ସଂସ୍କାର କାମରେ ଯୋଗ ଦେଇ ପାରିବେ ବୋଲି ନିୟମ ରହିଛି । ଉମା ସାମନ୍ତରାୟଙ୍କ ସହ ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ମଧ୍ୟ ପୁରୀରେ ଥାନାରେ ଏତଲା ହୋଇଛି । ସେପଟେ ସମୀର ଦାଶ କହିଛନ୍ତି ସେ ୨୧ ଦିନ ପରେ ଏହି ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି ।

ଓଡିଶାରେ କରୋନା ଏକ ପ୍ରକାର ଶୀର୍ଷରେ ଥିବାବେଳେ ମହାରଥୀଙ୍କ ବିଦାୟ ଯାତ୍ରାରେ ଏତେବଡ ଭିଡକୁ କେମିତି ଅନୁମତି ଦିଆଗଲା ତାହା ଏକ ବଡ ପ୍ରଶ୍ନ । କାରଣ କୋଭିଡ ନିୟମ ଉଲ୍ଲଘନ ପାଇଁ ଛୋଟ ଛୋଟ ଗରିବ ଦୋକାନୀଙ୍କ ଦୋକାନ ସିଲ୍ କରିଦିଆଯାଉଛି । ଆଉ ଇଏତ ଏତେବଡ ଭିଡ । ଆଉ ପଜିଟିଭ ଚିହ୍ନଟ ହେବାର ମାତ୍ର ୭ ଦିନରେ ଉମା ସାମନ୍ତରାୟ କିପର ଏଥିରେ ସାମିଲ ହେଲେ ସେ ନେଇ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।