ହିଟ ଆଣ୍ଡ ରନ ପଛର ସତ । ବଲାଙ୍ଗିର ଦୁର୍ଘଟଣା ପଛରେ ରହସ୍ୟ । 

198

କନକ ବ୍ୟୁରୋ:   ବଲାଙ୍ଗୀର ଆରଟିଓ ଛକରେ ଘଟିଥିବା ଏହି ଦୁର୍ଘଟଣା ପଛର ପୃଷ୍ଟଭୂମି ଏବେ ସାମନାକୁ ଆସିଛି । ଦୁର୍ଘଟଣା ଘଟିବାର ପରର ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ । ଗାଡି ଭିତରେ ଡ୍ରାଇଭର ସିଟରେ ଜଣେ ଲୋକ ବସିଛନ୍ତି । ଆଉ ଯିଏ ବସିଛନ୍ତି, ସେ ସହରର ଜଣାଶୁଣା ବ୍ୟବସାୟୀ ଚିତରଞ୍ଜନ ମହାନ୍ତି  । ଦୁର୍ଘଟଣା ଘଟାଇ ଚାଲିଯାଉଥିବା ଗାଡିରେ ଚିତଙ୍କୁ ଦେଖି ଅଟକାଇଥିବା ଲୋକମାନେ କିଛି ବୁଝି ନପାରି ଛାଡି ଦେଉଛନ୍ତି । ଆଉ ଯେତେବେଳେ ପୂରା କାହାଣୀ ପଦାକୁ ଆସିଛି ଜଣାପଡିଛି ଚିତ ଯୋଜନାବଦ୍ଧ ଭାବେ ଏହି ଦୁର୍ଘଟଣା ଘଟାଇଛନ୍ତି । କିନ୍ତୁ ସେ ମଧ୍ୟ ଆହତ ହୋଇଛନ୍ତି ।

ଅଭିଯୋଗ ଅନୁସାରେ ଚିତଙ୍କ ମାଲିକାନାରେ ରହିଛି ଏକ ବିବାହ ମଣ୍ଡପ । ଆଉ ସେହି ମଣ୍ଡପକୁ ଲାଗି ରହିଛି ଦୁର୍ଘଟଣାର ଶିକାର ହୋଇଥିବା ସାନୁଙ୍କ ଘର ଓ ଜମି । ସେହି ଜମି ଉପରେ ଚିତ ଆଖି ପକାଇଥିଲେ । ଜମିକୁ ଦେଇଦେବା ପାଇଁ ସାନୁ ଓ ତାଙ୍କ ପରିବାର ଉପରେ ବାରମ୍ବାର ଚାପ ପକାଉଥିଲେ । କିନ୍ତୁ ସାନୁ ରାଜି ହେଉନଥିବାରୁ ତାଙ୍କୁ ଧମକ ଚମକ ମଧ୍ୟ ଦେଉଥିଲେ । ଚାପ  ପକାଇବା ପାଇଁ ହତ୍ୟା ଭଳି ସାଂଘାତିକ ଷଡଯନ୍ତ୍ର ରଚିଥିଲେ ।

ଗତ ୧୫ତାରିଖରେ ସାନୁଙ୍କ ବଡ ଭାଇ ମଧ୍ୟ ସମାନ ଧରଣର ଦୁର୍ଘଟଣାର ଶିକାର ହୋଇଥିଲେ । ଏନେଇ ପୋଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ବାରମ୍ବାର ଅଭିଯୋଗ ସତ୍ୱେ ବି ଦୁର୍ଘଟଣାକୁ ହାଲୁକା ଭାବେ ନେଇଥିଲେ ବଲାଙ୍ଗୀର  ଏସପି ନୀତିଶ କୁଶଲକର  । ପୋଲିସର ଏଭଳି ଖାମ ଖିଆଲି ମନୋଭାବ ଯୋଗୁଁ ଅଭିଯୁକ୍ତ ଆଉ ଏକ ଅପରାଧ ଘଟାଇବା ପାଇଁ ସୁଯୋଗ ପାଇଲା ବୋଲି କୁହାଯାଉଛି । ପ୍ରଶ୍ନ ଉଠୁଛି,

–  ଅଭିଯୋଗକୁ କାହିଁକି ହାଲୁକା ଭାବେ ନେଇଥିଲା ବଲାଙ୍ଗୀର ପୁଲିସ

– ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି କଣ କରୁଛନ୍ତି ଏସପି? 

– କାହାକୁ ଘଂଟ ଘୋଡାଇବାକୁ କରୁଛନ୍ତି କି ଉଦ୍ୟମ?

– ଅପରାଧୀଙ୍କୁ ଖୁଲମଖୁଲା ଅପରାଧ କରିବା ପାଇଁ ସୁଯୋଗ ଦେଉଛନ୍ତି କି?