କଳାହାଣ୍ଡି ଜୟପାଟଣାରୁ ଆସିଲା ଦମନ ସିନେମାର ବାସ୍ତବ କାହାଣୀ। ସମୁଦ୍ରପତନଠାରୁ ୧୫ଶହ ଫୁଟ ଉଚ୍ଚ ପାହାଡ ଉପରେ ପ୍ରସବ।

134

କନକ ବ୍ୟୁରୋ: ସ୍ଥାନ ନଳା ଚୁଆଁ, ଜୟପାଟଣା । ସମୁଦ୍ର ପତ୍ତନଠାରୁ ୧୫ଶହ ଫୁଟ ଉଚ୍ଚ ପାହାଡ ଉପରେ ଥିବା ଏହି ଗାଁର ଲଳିତା ଜାନି ନାମକ ଜଣେ ଗର୍ଭବତୀ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ହେଲେ, ଦୁର୍ଗମ ପାହାଡ ଉପରୁ ଦୂରରେ ହସ୍ପିଟାଲରେ ପହଞ୍ଚିବା ତାଙ୍କ ପାଇଁ ଏତେ ସହଜ ନଥିଲା । ଲଳିତାଙ୍କ କଷ୍ଟ ବଢ଼ି ବଢ଼ି ଚାଲିଥିଲା । ଏହି ଖବର ପାଇ ଠିକ୍ ଦମନ ଫିଲ୍ମ ଭଳି ଦେବଦୂତ ସାଜି ପହଞ୍ଚି ଯାଇଥିଲେ ସୁଲି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଗୁନିନ୍ଦ୍ର ମହାନ୍ତି । ତାଙ୍କ ସାଥୀରେ ଥିଲେ ଷ୍ଟାଫ ନର୍ସ କୁସୁମ କୁମାରୀ, ଆଶାକର୍ମୀ ଓ ସୁରକ୍ଷା କର୍ମୀ । ସେଇଠି ଆରମ୍ଭ କରିଦେଇଥିଲେ ଚିକିତ୍ସା । କିନ୍ତୁ ଲଳିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଖଟିଆ ଯୋଗେ ବୋହି ନେଇଥିଲେ ସମ୍ପର୍କୀୟ । ଖଟିଆର ପାଖେ ପାଖେ ଚାଲିଥିଲେ ଡାକ୍ତର ଗୁନିନ୍ଦ୍ର । ଏପରିକି ଲଳିତାଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ପାହାଡ ଉପରେ ଦେଇଥିଲେ ସାଲାଇନ୍ । ତାପରେ ପାହାଡ ତଳକୁ ଆଣି, ୧୦୮ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତି କରାଯାଇଥିଲା ।

ଡାକ୍ତର ଗୁନିନ୍ଦ୍ରଙ୍କ ସମୟୋପୋଯୋଗୀ ପଦକ୍ଷେପ ଯୋଗୁଁ ଲଳିତାଙ୍କ ଜୀବନ ବଞ୍ଚିଯାଇଛି । କିନ୍ତୁ କ୍ରମାଗତ ଉଦ୍ୟମ ପରେ ବି ପେଟରେ ଥିବା ଦ୍ୱିତୀୟ ସନ୍ତାନ ଶିଶୁ କନ୍ୟାକୁ ବଞ୍ଚାଇବା ସମ୍ଭବ ହୋଇପାରିନାହିଁ ।ଗମନାଗମନ ସୁବିଧା ଥିଲେ ଛୁଆଟା ବଞ୍ଚିଯାଇଥାନ୍ତା ବୋଲି କ୍ଷୋଭର ସହ କହିଛନ୍ତି, ସ୍ଥାନୀୟ ଲୋକେ । ଗର୍ଭଯନ୍ତ୍ରଣା ପରେ ଲଳିତା ପାହାଡ ଉପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । କେବଳ ଏହି ଗୋଟିଏ କାହାଣୀ ନୁହେଁ ରାଜ୍ୟର ଏମିତି ଅନେକ ଅଂଚଳ ଅଛି, ଯେଉଁଠି ମୌଳିକ ସୁବିଧା ଆଜି ବି ଅପହଞ୍ଚ ।