ଗୋଟିଏ ବର୍ଷ ହେବ ଏକ ଟ୍ରକ ଭିତରେ ରହିଛି ୭୫୦ କୋଭିଡ ରୋଗୀଙ୍କ ମୃତଦେହ । ଏବେ ହେଉଛି ଅନ୍ତିମ ସଂସ୍କାର, ବର୍ଷେ ପୂର୍ବେ ଆମେରିକାରେ କେତେ ଭୟଙ୍କର ହୋଇଥିଲା କରୋନା ।

739

କନକ ବ୍ୟୁରୋ: କରୋନା ଯେ କେତେ ଭୟଙ୍କର ହୋଇପାରେ ତାହା ଆଜି ଆମେ ଆପଣଙ୍କୁ କହିବୁ । ଆଜି ଭାରତ ଯେଉଁ ବିପତ୍ତି ଦେଇ ଗତି କରୁଛି ତାହାକୁ ଆମେରିକା ଗୋଟିଏ ବର୍ଷ ପୂର୍ବେ ଦେଖିଥିଲା । କାରଣ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ ବର୍ଷ ହେବ ଏକ ଟ୍ରକ ଭିତରେ ସାଇତି ହୋଇ ରହିଛି ୭୫୦ କୋଭିଡ ରୋଗୀଙ୍କ ମୃତ ଦେହ । ଥରେ ଭାବନ୍ତୁ ବର୍ଷ ତଳେ କିଭଳି ଆମେରିକାରେ ତାଣ୍ଡବ ରଚିଥିବ କରୋନା ।

ମଶାଣି ଅପେକ୍ଷାରେ ରହିଛି ମୃତଦେହ । ଦୀର୍ଘ ଗୋଟିଏ ବର୍ଷ ହେବ ଗୋଟିଏ ଟ୍ରକ ଭିତରେ ପଡି ରହିଛି କୋଭିଡ ମୃତକଙ୍କ ଶବ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ୭୫୦ ଶବ ମଶାଣୀ ଅପେକ୍ଷାରେ ରହିଛନ୍ତି । ଏଭଳି କରୋନାର ଏକ ଭୟାନକ କାହାଣୀ ଦେଖିବାକୁ ମିଳିଛି ଆମେରିକାର ନ୍ୟୁୟର୍କ ସହରରେ । ଆଉ ଏହି ଘଟଣା ଏବେ ସାମ୍ନାକୁ ଆସିଛି । ଏତେ ମାତ୍ରାରେ ମୃତଦେହ ଗୋଟିଏ ଜାଗାରେ ରହିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଗତବର୍ଷ ଆମେରିକା କରୋନାରେ ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲା । ବହୁ ସଂଖ୍ୟାରେ କୋଭିଡ ରୋଗୀ ମୃତ୍ୟୁ ବରଣ କରିଥିଲେ । ମୃତଦେହ ପୋଡିବାକୁ ବା କବର ଦେବାକୁ ନା ମଶାଣିରେ ଜାଗା ଥିଲା ନା ହସ୍ପିଟାଲରେ ମୃତଦେହକୁ ସାଇତି ରଖିବାକୁ ସ୍ଥାନ ମିଳିଲା । ଶେଷରେ ଶବକୁ ଦୀର୍ଘଦିନ ସାଇତି ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ସେଥିପାଇଁ ରେଫ୍ରିଜରେଟର ଥିବା ଏକ ଟ୍ରକରେ ଶବ ଗୁଡିକୁ ରଖା ଯାଇଥିଲା ।

ସେବେଠୁ ବିତିଗଲାଣି ଗୋଟିଏ ବର୍ଷ । ଆଉ ଏବେ ଯାଏଁ ଶବ ଗୁଡିକ ସଂସ୍କାର ହୋଇ ନାହିଁ । ନ୍ୟୁୟର୍କର ହାର୍ଟ ଦ୍ୱିପରେ ଏହି ସବୁ ଶବ ସତ୍କାର ହେବାର ଯୋଜନା ରହିଥିଲା । ହାର୍ଟ ଦ୍ୱିପ ଦେଶର ସବୁଠାରୁ ବଡ କବରସ୍ଥାନ ବୋଲି କୁହାଯାଏ । ଗତ ବର୍ଷ କରୋନା କାୟାରେ ଏକଦମ ଛାରଖାର ହୋଇଯାଇଥିଲା ନ୍ୟୁୟର୍କ । ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଥିଲେ । ଯାହାର ପ୍ରମାଣ ଆଜି ଦେଖିବାକୁ ମିଳିଛି ।

ଆମେରିକାରେ ଗତ ବର୍ଷ ମୋଟ ୫ ଲକ୍ଷ ୮୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଏନେକ ପରିବାର ମୃଳପୋଛ ମଧ୍ୟ ହୋଇଯାଇଥିଲା । ମେଡିକାଲ ଯାଞ୍ଚ କାର୍ଯ୍ୟାଳୟର ପ୍ରବକ୍ତା ମାର୍କ ଡିଜାୟ କହିଛନ୍ତି, ଗତବର୍ଷ କୋଭିଡ ସମୟରେ ମୃତଦେହ ଗୁଡିକୁ ଏଭଳି ସାଇତି ରଖିବାର ବ୍ୟବସ୍ଥା ହୋଇଥିଲା । ଏହାର କାରଣ ଥିଲା ସବୁ ମୃତ ବ୍ୟକ୍ତିଙ୍କ ପରିବାର ଯେଭଳି ସେମାନଙ୍କ ଶବ ଶତ୍କାରରେ ଯୋଗ ଦେଇପାରିବେ ।