ପଶ୍ଚିମବଙ୍ଗରେ ଚିହ୍ନଟ ହେଲା କରୋନାର ନୂଆ ରୂପ : ଟ୍ରିପଲ ମ୍ୟୁଟାଂଟ୍ କରୋନା ଭାଇରସ ଚିହ୍ନଟ

1,014

କନକ ବ୍ୟୁରୋ : ଦେଶରେ ଚିହ୍ନଟ ହେଲା ଟ୍ରିପଲ ମ୍ୟୁଟାଂଟ୍ କରୋନା ଭାଇରସ । ଅର୍ଥାତ ଏହା କରୋନା ଭୂତାଣୁର ଏକ ନୂଆ ପ୍ରକାର । ବିଶେଷ କରି ପଶ୍ଚିମବଙ୍ଗରେ ଏହି ପ୍ରକାର ଭୂତାଣୁ ଅଧିକ ଚିହ୍ନଟ ହୋଇଛି । ଏହାର ନାମକରଣ ହୋଇଛି- ବି-୧- ୬୧୮ । ଏହା ପୂର୍ବରୁ ଭାରତରେ ଏକ ଡବଲ ମ୍ୟୁଟାଂଟ ଭୂତାଣୁ ଚିହ୍ନଟ ହୋଇଥିଲା । ଯାହାର ନାମକରଣ କରାଯାଇଥିଲା- ବି-୧- ୬୧୭ । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କଠାରେ ବିଶେଷ କରି ଏହି ପ୍ରକାର ଭୂତାଣୁ ଦେଖା ଯାଉଛି । ଏହା ଅଧିକ ସଂକ୍ରାମକ । ଅର୍ଥାତ ଦ୍ରୁତ ଗତିରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପୁଛି ।

ତେବେ ଚିହ୍ନଟ ହୋଇଥିବା ଟ୍ରିପଲ ମ୍ୟୁଟାଂଟ ଅଧିକ ସାଂଘାତିକ ବୋଲି କୁହାଯାଉଛି । କାରଣ ଏହା କରୋନା ବିରୋଧୀ ସୁରକ୍ଷା ବଳୟକୁ ଭେଦ କରିବାକୁ ସମର୍ଥ । ଅର୍ଥାତ ଶରୀରରେ ଆଂଟିବଡି ତିଆରି ହୋଇଥିଲେ ମଧ୍ୟ ଏହି ପ୍ରକାର ଭୂତାଣୁ ସଂକ୍ରମଣ ହୋଇପାରେ । ସେହିପରି କରୋନା ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏହି ପ୍ରକାର ଭୂତାଣୁ ସଂସ୍ପର୍ଷରେ ଆସିଲେ କରୋନା ଆକ୍ରାନ୍ତ ହୋଇପାରନ୍ତି । କରୋନାର ଏହି ନୂଆ ସ୍ୱରୂପକୁ ବେଙ୍ଗଲ ଭାଇରସ ବୋଲି ମଧ୍ୟ କୁହାଯାଉଛି ।