ଚାରିଧାମ ଯାତ୍ରା ହେଲା କାଳ, ଯମୁନେତ୍ରୀ ଯାଉଥିବା ବେଳେ ଓଲଟିଲା ବସ । ୨୬ ଜଣ ଶ୍ରଦ୍ଧାଳୁଙ୍କ ମତ୍ୟୁ, ୪ ଗୁରୁତର ।

240

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଉତ୍ତରକାଶିରେ ଏକ ବଡଧରଣର ସଡକ ଦୁର୍ଘଟଣା ଘଟିଛି । ୩୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯମୁନେତ୍ରୀ ତୀର୍ଥସ୍ଥଳିକୁ ଯାଉଥିବା ବସ ରାସ୍ତା କଡରେ ଥିବା ଗଭୀର ଗାତ ଭିତରକୁ ଗଳି ପଡିବାରୁ  ୨୬ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାରେ ମୃତଶ୍ରଦ୍ଧାଳୁ ମାନେ ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାରୁ ହୋଇଥିବା ଜଣାପଡିଛି । ତେବେ ଘାଟି ରାସ୍ତା ଦେଇ ଯିବା ସମୟରେ ସାମ୍ନାପଟୁ ଆସୁଥିବା ଏକ ଗାଡିକୁ ଆଗକୁ ଯିବା ପାଇଁ ରାସ୍ତା ଦେବାକୁ ଚେଷ୍ଟା କରିଥିଲେ ବସ ଡ୍ରାଇଭର । ଏହି ସମୟରେ ନିୟନ୍ତ୍ରଣ ହରାଇ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବୋଲି କୁହାଯାଉଛି । ଘଟଣାସ୍ଥଳରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପହଞ୍ଚିି ସ୍ଥିତି ସମୀକ୍ଷା କରିଛନ୍ତି । ଡାକ୍ତରଖାନାରେ ପହଞ୍ଚି ଚିକିତ୍ସିତ ଶ୍ରଦ୍ଧାଳୁଙ୍କୁ ମଧ୍ୟ ଭେଟିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସିିବରାଜ ସିଂ ଚୌହାନ ।

ବସଟି ହରିଦ୍ୱାରରୁ ବାହାରି ପ୍ରମୁଖ ତୀର୍ଥସ୍ଥଳୀ ଯମୁନେତ୍ରୀ ପାଇଁ ବାହାରି ଥିଲା । ଚାରିଧାମ ଯାତ୍ରା କରୁଥିବା  ଶ୍ରଦ୍ଧାଳୁମାନେ ବସ ଭିତରେ ଭଜନ କିର୍ତ୍ତନ କରି ଯାତ୍ରାରେ ମଜା ନେଉଥିଲେ । କିନ୍ତୁ ଏହି ଯାତ୍ରା ସେମାନଙ୍କ ଶେଷ ଯାତ୍ରା ହେବ ବୋଲି କେହି କେବେ ଭାବିବନଥିଲେ । ମୃତ୍ୟୁ ରାସ୍ତାରେ ଛକି ବସିଥିଲା । ଯମୁନେତ୍ରୀ ନେସନାଲ ହାଇୱେର ଡାମଟା ଅଞ୍ଚଳରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ରିଖାଓଁ ଘାଟିରେ ଅଚାନକ ବସ ଦୁର୍ଘଟଣା ଘଟି ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ବର୍ତମାନ ପର୍ଯ୍ୟନ୍ତ ୨୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସେପଟେ ଘଟଣାକୁ ନେଇ ଉଚ୍ଚସ୍ତରୀୟ ଯାଞ୍ଚର ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଅନ୍ୟପଟେ ଘଟଣାକୁ ନେଇ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଓ ଆହତଙ୍କ ଚିକିତ୍ସା ବାବଦକୁ ୫୦ ହଜାର ଟଙ୍କାର ସହାୟତା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ମଧ୍ୟପ୍ରଦେଶ ସରକାର ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶୀ ଘୋଷଣା କରିଛନ୍ତି । ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ମୃତକଙ୍କ ପରିବାର ଲୋକଙ୍କୁ ୧ ଲକ୍ଷ ଓ  ଆହତଙ୍କୁ ୫୦ ହଜାର ଟଙ୍କା ରାଶି ଘୋଷଣା କରିଥିବା ଜଣାପଡିଛି ।