କନକ ବ୍ୟୁରୋ: ପରିବେଶ ଅନୁକୂଳ କୃଷି ଓ ରାସାୟନିକ ସାର ମୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନ ବର୍ତମାନ ସମୟରେ ବଡ଼ ଆବଶ୍ୟକତା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରାକୃତିକ ଉପାୟରେ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ଚାଷ କରିବା ଫଳରେ ଆଦିବାସୀ ବର୍ଗର ଚାଷୀମାନେ ବିଶେଷ ଲାଭବାନ ହେଉଛନ୍ତି । ୨୦୨୨-୨୩ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଳକ ତେଲିଘଣା ଗାଁରେ ପ୍ରାକୃତିକ ଚାଷ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଥିଲା । ଗାଁର ପାଖାପାଖି ୫୫ଜଣ ଚାଷୀ ପ୍ରାକୃତିକ ପଦ୍ଧତିରେ ଚାଷ କରିଥିଲେ । ୮୦ ଏକର ଜମିରେ ସେମାନେ ଧାନ, ଚିନାବାଦାମ ଚାଷ କରିଥିଲେ । ଏଥିପାଇଁ ଚାଷୀଙ୍କୁ ମାଗଣାରେ ଦେଶୀ ବିହନ ଯୋଗାଇଦିଆଯାଇଥିଲା । ଏଥିପାଇଁ ଚାଷୀମାନେ ପ୍ରାକୃତିକ ଉପାୟରେ ସାର ପ୍ରସ୍ତୁତ କରି ବ୍ୟବହାର କରିଥିଲେ । ପ୍ରାକୃତିକ ପଦ୍ଧତିରେ ଚାଷ ହେଉଥିବାରୁ ଭଲ ଅମଳ ହେବା ସହ ବଜାରରେ ଏହାର ଭଲ ଚାହିଦା ରହିଛି ।

Advertisment

ପ୍ରାକୃତିକ ପଦ୍ଧତି ଚାଷରେ ଜୀବାମୃତ, ଘନ ଜୀବାମୃତ, ଦଶପର୍ଣ୍ଣି ଅର୍କ, ବ୍ରହ୍ମାସ୍ତ୍ର, ନିମାସ୍ତ୍ର ଏବଂ ବୀଜାମୃତ ବ୍ୟବହାର କରାଯାଉଛି । ଚାଷୀମାନେ ଗୃହପାଳିତ ଦେଶୀ ଗାଇଗୋରୁଙ୍କ ମଳମୂତ୍ର ସହିତ ଗୁଡ଼ ଏବଂ ବେସନ ଆଦି ମିଶ୍ରଣ କରି ଏହି ସାର ପ୍ରସ୍ତୁତ କରୁଛନ୍ତି । ତେବେ ରାସାୟନିକ ପଦ୍ଧତିରେ ଚାଷ କରିବା ଦ୍ୱରା ସାର କିଣିବାରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା । ଏବେ ପ୍ରକୃତିକ ପଦ୍ଧତିରେ ଚାଷ କରିବା ଯୋଗୁଁ କମ୍ ଖର୍ଚ୍ଚ ହେଉଥିବା କହିଛନ୍ତି ଚାଷୀ । ପ୍ରାକୃତିକ ପଦ୍ଧତି ଚାଷ ପାଇଁ ତେଲିଘଣାର ଆଦିବାସୀ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଅନ୍ୟ ବ୍ଲକକୁ ଏହି ଚାଷ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ।