କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନର ସବୁଠାରୁ ବଡ ପ୍ରଭାବ ପୃଥିବୀବାସୀ ବର୍ତ୍ତମାନ ଭୋଗୁଛନ୍ତି । ଦିନକୁ ଦିନ ଗଛ ସଂଖ୍ୟା ହ୍ରାସ ପାଇବା ପରେ ଲୋକେ ଡହଳ ବିକଳ ହେଉଛନ୍ତି । ପ୍ରଚଣ୍ଡ ଉତ୍ତାପ ଲୋକଙ୍କ ସମସ୍ୟା ଦିନକୁ ଦିନ ବଢାଇଚାଲିଛି । ତେବେ କିଛି ଏଭଳି ବ୍ୟକ୍ତି ଅଛନ୍ତି ଯେଉଁମାନେ ପରିବେଶ ଆଉ ବିଶେଷ କରି ଗଛକୁ ନେଇ ବେସ ଚିନ୍ତିତ । ଏହି କାହାଣୀ ହେଉଛି ଗଛ ଓ ମଣିଷରା

Advertisment

ପ୍ରାୟ ୪୦ ବର୍ଷ ହେଲା ଗଛ ଲଗାଉଛନ୍ତି ଯାଜପୁର ଉଆସାହିର ଗୁଣ୍ଠିରାମ ଜେନା । ପରିବେଶ ସୁରକ୍ଷା ପାଇଁ ୨୦ ବର୍ଷ ବୟସରୁ ସେ ଗଛ ଲଗାଉଛନ୍ତି । ବର୍ତ୍ତମାନ ସୁଦ୍ଧା ପାଖାପାଖି ଲକ୍ଷାଧିକ ଗଛ ଲଗାଇଲେଣି ଗୁଣ୍ଠିରାମ । ଗଛ ଲଗାଇବା ତାଙ୍କ ଜୀବନର ମୂଳମନ୍ତ୍ର ବୋଲି କୁହନ୍ତି ସେ । ଏଥିପାଇଁ ସେ ତାଙ୍କ ପରିବାରକୁ ମଧ୍ୟ ସେ ଭୁଲିଯାଆନ୍ତି । ମୂଲ ମଜୁରୀ ଲାଗି ଯାହାକିଛି ଆଣନ୍ତି ସେଥିରୁ ଅଧା ପଇସା ଗଛ ଲଗାଇବାରେ ଖର୍ଚ୍ଚ କରନ୍ତି । ସ୍କୁଲ, କଲେଜ,ମଠ ମନ୍ଦିର, ଅନାବାଦି ଗୋଚର ଜମି ସହ ପ୍ରାୟ ୫ ରୁ ୬ଟି ପଂଚାୟତର ଖୋଲା ପଡିଆରେ ୧ ଲକ୍ଷରୁ ଉର୍ଦ୍ଧ ଗଛ ଲଗାଇ ସାରିଛନ୍ତି ଏହି ଗଛ ମଣିଷ । ସେଥିପାଇଁ ତ ଲୋକେ କହନ୍ତି ଆମ ଅଞ୍ଚଳର ଗଛ ମଣିଷ ।

ଗୁଣ୍ଠିରାମ ମୂଲ ମଜୁରୀରୁ ଫେରି ଗଣ୍ଡେ ଖାଇଦେଇ କାନ୍ଧରେ କୋଦାଳ ଓ ହାତରେ ଗଛ ଧରି ବାହାରିପଡନ୍ତି ସବୁଜ ଜଙ୍ଗଲ ଉଦ୍ଦେଶ୍ୟରେ । ସୂର୍ଯ୍ୟ ବୁଡିବା ପର୍ଯ୍ୟନ୍ତ ଗଛଙ୍କ ମେଳରେ ସେ ହଜିଯାଆନ୍ତି । ଏଥିପାଇଁ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୧୮ରେ ପ୍ରକୃତି ବନ୍ଧୁ ପୁରସ୍କାର ଦେବା ସହ କିଛି ଅନୁଷ୍ଠାନ ବି ସମ୍ବର୍ଦ୍ଧିତ କରିଛନ୍ତି । ତାଙ୍କର ଗଛ ଲଗାଇବାର ଦୃଶ୍ୟ ଦେଖିଲେ ଆନନ୍ଦ ଲାଗେ ହେଲେ ଗଛ ମଣିଷ ରାତି କାଟୁଥିବା ଭଙ୍ଗା ନଡା ଘର ଦେଖିଲେ ଖୁବ୍ ଦୁଃଖ ଲାଗେ । ଭଙ୍ଗା କୁଡିଆକୁ ଦେଖିଲେ ମନରେ ପ୍ରଶ୍ନ ଆସେ କୁଆଡ଼େ ଗଲା ସରକାରଙ୍କ ସେହି ମାଳମାଳ ଯୋଜନା । ଯେଉଁ ମଣିଷ ନିଜ ପରିବାର କଥା ଭୁଲି ପରିବେଶ କଥା ଚିନ୍ତା କରେ ଏ ସରକାର ଆଉ ପ୍ରଶାସନ କିପରି ତା କଥା ଭୁଲିଗଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ସଦସ୍ୟ ।