କନକ ବ୍ୟୁରୋ: ବୁର୍ଲା ଭିମସାରରେ ଭର୍ତ୍ତି ହୋଇଛି ନବଜାତ ଶିଶୁକନ୍ୟା । ଏକ ସ୍ୱତନ୍ତ୍ର ଆମ୍ବଲାନ୍ସ ଯୋଗେ ଉଦ୍ଧାର ପରେ ଅଣାଯାଇଛି ଏହି ଶିଶୁକନ୍ୟାକୁ । ଗତକାଲି ଦିନ ପାଖାପାଖି ୨ଟା ବେଳେ ଖବର ମିଳିଥିଲା ଯେ, ସମ୍ବଲପୁର ରେଙ୍ଗାଲି ଲାରିପାଲି ଜଙ୍ଗଲରେ ଥିବା ଏକ ବୋରୱେଲରେ ପଡ଼ିଯାଇଛି ନବଜାତ ଶିଶୁ । ଜଣେ ମହିଳା ସେଠାକୁ ଶୌଚ ହେବାକୁ ଯାଇଥିବା ବେଳେ ଶିଶୁଟିର କୁଆଁ କୁଆଁ ଶବ୍ଦ ଶୁଣିବାକୁ ପାଇଥିଲେ । ଆଉ ତୁରନ୍ତ ଏହି ଖବର ପୁଲିସ ଓ ଅଗ୍ନିଶମ ବାହିନୀ ପାଖରେ ପହଞ୍ଚିଥିଲା । ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ପରେ ରେଙ୍ଗାଲି ଫାୟାର ଷ୍ଟେସନକୁ ଖବର ଦେଇଥିଲେ । ପରେ ସମ୍ବଲପୁର ଅଗ୍ନିଶମ ବିଭାଗର ଟିମ୍ ସାମିଲ ହୋଇଥିଲା ।

ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ଜେସିବି ଦ୍ୱାରା ମାଟି ଖୋଳାଯାଇଥିଲା । କଟକରୁ ଭୁବନେଶ୍ୱର ଆସିଥିଲା ଭିଏଲସି କ୍ୟାମେରା । ଏହାକୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ପଠାଗଲା । ଏହାପରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ରେଙ୍ଗାଲି ଯାଇଥିଲା ଭିଏଲସି କ୍ୟାମେରା । ଭିଏଲସି ସହାୟତାରେ ଶିଶୁକୁ ଠାବ କରିବା ସହଜ ହୋଇଥିଲା । ଭିଏଲସିରେ ଶିଶୁଟିକୁ ଦେଖିବା ପରେ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ବୋରୱେଲ ପାଇପରେ ବିୟର ବୋତଲ ଓ ପାଣି ବୋତଲ ପଡ଼ି ରହିଥିଲା । ବିୟର ବୋତଲ ଯୋଗୁଁ ତଳକୁ ଖସିବା ଅପେକ୍ଷା ଅଧାରେ ଅଟକି ରହିଥିଲା । ଫଳରେ ଶିଶୁଟିକୁ ଉଦ୍ଧାର କରିବା ସହଜ ହୋଇଥିଲା । ୨୦ ଫୁଟର ବୋରୱେଲରେ ୧୫ ଫୁଟ୍ ଖୋଳିବାକୁ ପଡ଼ିଥିଲା । ଶେଷରେ ସମସ୍ତଙ୍କ ଡାକ ଶୁଣିଛନ୍ତି ଭଗବାନ । ଆଉ ବୋରୱେଲରୁ ନବଜାତକୁ ଜୀବିତ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ଉଦ୍ଧାରରେ ସାମିଲ ଓଡ୍ରାଫ, ଅଗ୍ନିଶମ ବାହିନୀ, ପୁଲିସ , ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ହୃଦୟରୁ ସାଧୁବାଦ ଜଣାଇଛନ୍ତି । ତେବେ କିଏ ସେହି ନିର୍ଦୟ ମଣିଷ ଯିଏ ଏହି ନବଜାତ ଶିଶୁକନ୍ୟାକୁ ହତ୍ୟା ଉଦ୍ଦେଶ୍ୟରେ ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ଗଭୀର ନଳକୂପ ଭିତରକୁ ଫିଙ୍ଗିଦେଇଛି ତାକୁ ନେଇ ଚର୍ଚ୍ଚା ବଢିଛି ।