ଘଟଗାଁ ବାଲିଯୋଡି ଦୂର୍ଘଟଣା ମାମଲା : ଏନଏଚଏଆଇକୁ ଦାୟୀ କଲା ପରିବହନ ବିଭାଗ

314

କନକ ବ୍ୟୁରୋ : ଶୁକ୍ରବାର ସଡକ ଦୁର୍ଘଟଣାରେ ଘଟଗାଁ ଯାଉଥିବା ୮ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାକୁ ନେଇ ଏନଏଚଆଇ କର୍ତୃପକ୍ଷଙ୍କ ନାଁରେ ମାମଲା ରୁଜୁ କରିଛି କେନ୍ଦୁଝର ପରିବହନ ବିଭାଗ । ରାସ୍ତା କାମ ଶେଷ କରିନଥିବା ଓ ଠିକରେ ପାଟ୍ରୋଲିଂ ହେଉନଥିବା ଅଭିଯୋଗ ଆଣି ଏତଲା ଦିଆଯାଇଛି । ସବୁଠୁ ବଡ କଥା ହେଉଛି ଶୂନ୍ୟ ମୃତାହତ ସପ୍ତାହ ପାଳନ ସମୟରେ ଘଟୁଛି ଅଧିକ ଦୁର୍ଘଟଣା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ସଚେତନ କରାଯାଉଛି । କିନ୍ତୁ ସଡକ ଦୁର୍ଘଟଣା କମିବାର ନାଁ ଧରୁନି ।

ଶୂନ୍ୟ ମୃତାହତ ସପ୍ତାହ ପାଳନ ଅବସରରେ ପରିବହନ ବିଭାଗ ପକ୍ଷରୁ ଏସଓପି ମଧ୍ୟ ଜାରି ହୋଇଛି । ଏସଓପିରେ ଦୁର୍ଘଟଣାକୁ ଏଡାଇବା, ଦୁର୍ଘଟଣା ପରେ ଜୀବନ ବଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ପରିବହନ, ପୋଲିସ, ସ୍ୱାସ୍ଥ୍ୟ, ଶିକ୍ଷା ବିଭାଗ, ରୋଡ ୱିଙ୍ଗ ଏଜେନ୍ସୀ, ଓଏସଆରଟିସି ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ପରିବହନ ବିଭାଗର ତଥ୍ୟ ଅନୁସାରେ
୨୦୨୩ ( ଜାନୁୟାରୀରୁ- ସେପ୍ଟେମ୍ବର ସୁଦ୍ଧା) ୮,୯୩୮ ସଡକ ଦୁର୍ଘଟଣାରେ ୪,୧୭୮ ଜଣଙ୍କ ମୃତ୍ୟୁ
୨୦୨୨ – ୧୧, ୬୬୩ ସଡକ ଦୁର୍ଘଟଣାରେ ୫,୪୬୭ ଜଣଙ୍କ ଜୀବନ ଯାଇଛି
୨୦୨୧- ୧୦, ୯୮୩ ସଡକ ଦୁର୍ଘଟଣାରେ ୫,୦୮୧ ଜଣଙ୍କ ମୃତ୍ୟୁ
ଅର୍ଥାତ ୨୦୨୨ ମସିହା ତୁଳନାରେ ୨୦୨୩ରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୪.୮୯ ପ୍ରତିଶତ ବୃଦ୍ଧି ପାଇଛି ।