କନକ ବ୍ୟୁରୋ: ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଇଞ୍ଜିନିୟରିଂର ଗୋଟିଏ ବଡ କମାଲ । କେଉଁଠି ପାହାଡକୁ ପାହାଡ ଯୋଡି ବ୍ରିଜ ତିଆରି ହୋଇଛି ତ କେଉଁଠି ନଦୀ ଉପରେ ତିଆରି ହୋଇଛି ବିରାଟ ପୋଲ । ଆଉ ତା ଉପରେ ଚାଲୁଛି ହଜାର ହଜାର ଟ୍ରେନ୍, ବସ୍, ଗାଡିମୋଟର । ଆଉ ଏବେ ଆମ ଦେଶରେ ବିଭିନ୍ନ ସହରରେ ଭୂମି ଉପରେ ଓ ଭୂମି ତଳେ ମେଟ୍ରୋ ଟ୍ରେନ୍ ଚାଲିବାର ବ୍ୟବସ୍ଥା କରାଯାଇଛି । କୋଲକାତାରେ ପ୍ରଥମ କରି ଏପ୍ରିଲ ୧୨ରେ ପାଣି ଭିତରେ ମେଟ୍ରୋ ଟ୍ରେନ୍ ଚାଲିଛି । ଆଉ ଆଜି କେରଳ କୋଚିରେ ଆରମ୍ଭ ହେବାକୁ ଯାଉଛି ପାଣି ଉପରେ ମେଟ୍ରୋ ସେବା । ଏହା ଦେଶର ପ୍ରଥମ ୱାଟର ମେଟ୍ରୋ ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ । ୧୦ଟି ଦୀପକୁ ଯୋଡିବ ଏହି ୱାଟର ମେଟ୍ରୋ । ଏଥିପାଇଁ ଖର୍ଚ୍ଚ ହୋଇଛି ୧୧ ଶହ ୩୬ କୋଟିରୁ ଅଧିକ ଟଙ୍କା । ସ୍ୱତନ୍ତ୍ର ଫିଚର୍ସ ସହ ସୁରକ୍ଷା ଦୃଷ୍ଟିରୁ ବେଶ ଖାସ ହେଉଛି ୱାଟର ମେଟ୍ରୋ । ଆଉ ପାଣିରେ ମେଟ୍ରୋର ଏହି ଯାତ୍ରା ଲୋକଙ୍କୁ ଯୋଗାଇବ ଆରାମଦାୟକ ଯାତ୍ରା ।

Advertisment

ଏହି ମେଟ୍ରୋ ଗୁଡିକ ଏକ ପ୍ରକାର ଇଲେକ୍ଟ୍ରିକ୍ ବୋଟ୍ । ଯାହା ଜାହଜ ଭଳି ପ୍ରସ୍ତୁତ ହୋଇଛି । ହେଲେ ଏହି ଭିତରେ ବସିବାର ଯେଉଁ ଭଳି ବ୍ୟବସ୍ଥା ହୋଇଛି ତାହା ମେଟ୍ରୋ ଟ୍ରେନ୍ ଭଳି । ଯାତ୍ରୀ ଏହି ବୋଟରେ ବସି ବାହାର ପ୍ରାକୃତିକ ଦୃଶ୍ୟର ମଜା ମଧ୍ୟ ନେଇ ପାରିବେ । ଏହି ପ୍ରୋଜେକ୍ଟର ଲାଭ କେବଳ କୋଚିର ବାସିନ୍ଦାଙ୍କୁ ମିଳିବ ତାହା ନୁହେଁ, ଏଠାକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ମଧ୍ୟ ଏହି ୱାଟର ମେଟ୍ରୋ ଯାତ୍ରାର ମଜା ନେଇପାରିବେ । ପାଣି ଉପରେ ମେଟ୍ରୋ ପରିଚାଳନାର କଳ୍ପନା କରିଥିଲେ କେନ୍ଦ୍ର ସରକାର । ଯାହା ସଫଳ ହୋଇଛି । ଏବେ କେରଳର ବାଣିଜ୍ୟିକ ରାଜଧାନୀ ଭାବେ ପରିଚିତ କୋଚିରେ ଆରମ୍ଭ ହେଉଛି ମେଟ୍ରୋ ଟ୍ରେନ୍ ।