କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ୫୦ ଜଣଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସିଗ୍ନାଲ ଓଭର ସୁଟିଂ ଯୋଗୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୂର୍ବତଟ ରେଳପଥର ସିପିଆରଓ ବିଶ୍ୱଜିତ୍ ସାହୁ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ମରାମତି କାମ ଚାଲିଛି । ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ଶେଷ ହେବ ଏବଂ ସନ୍ଧ୍ୟା ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ସିପିଆରଓ ସୂଚନା ଦେଇଛନ୍ତି ।

Advertisment

ବାହାନଗା ଟ୍ରେନ ଟ୍ରାଜେଡିର ଦୁଃଖ ମନରୁ ଲିଭି ନଥିବା ବେଳେ ପୁଣି ଓଡିଶା ସୀମାରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ହୋଇଛି । ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତୀ ବିଜୟନଗରମ୍ ଜିଲ୍ଲା କାଂଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି । ଶନିବାର ସଂଧ୍ୟା ୭ଟା ସମୟରେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କାଂଟକାପାଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା ପଲାସା-ବିଶାଖାପାଟଣା ପାସେଂଜର ଟ୍ରେନ୍ । ଠିକ୍ ଏହି ସମୟରେ ବିଶାଖାପାଟଣା-ରାୟଗଡ଼ା ପାସେଂଜର ଟ୍ରେନ ପଛ ପଟୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଏନଡିଆରଏଫ୍ ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଆହତଙ୍କୁ ବିଶାଖାପଟଣା ସ୍ଥିତ କିଙ୍ଗସ୍ ଜର୍ଜ ହସପିଟାଲ୍, ରେଳବାଇ ହସପିଟାଲ୍ ଓ ବିଜୟନଗରମ୍ର ଏକ ଘରୋଇ ହସପିଟାଲ୍ରେ ଭର୍ତ୍ତି କରାଯାଇଛି ।