କନକ ବ୍ୟୁରୋ: ଟ୍ରାକରେ ଟ୍ରେନ୍ ଅଟକାଇ ଦେଲା ଅଦିନିଆ ଝଡ । ଆଜି ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ହଠାତ୍ ଝଡତୋଫନ ହେବାରୁ ବିଶାଖାପାଟଣା-କୋରାପୁଟ ପାସେଞ୍ଜର ଟ୍ରେନ ଅଟକି ଯାଇଥିଲା । ଟ୍ରେନ ଇଞ୍ଜିନ୍ ଉପରେ ତେନ୍ତୁଳି ଗଛ ପଡିଯିବାରୁ ରାୟଗଡା ଜିଲ୍ଲା ବିସିଙ୍ଗପୁର ରୋଡ୍ ଠାରେ ଟ୍ରେନଟି ଅଟକିଥିଲା । ତେବେ ଗଛ କଟା ହେବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।

Advertisment

ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ତାଣ୍ଡବ ରଚିଛି । ବିଷମକଟକରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଝଡତୋଫାନ ବେଳେ ଆମ୍ବ ଗୋଟେଇବାକୁ ଯାଇଥିବା ବେଳେ ବଜ୍ରପାତ ହେବାରୁ ବୁଡୁ କନ୍ଦପାଣିଙ୍କ ମୃତ୍ୟୁ ହୋଇଛି । ସେହିଭଳି ବର୍ଷା-ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ଭାଙ୍ଗିପଡିଛି । ଲୋକଙ୍କ ଘର ଉପରୁ ଛପର ଉଡିଯାଇଛି । ଚାଟିକଣା, ମଣ୍ଡାପାଇ ଓ ବଡମଟକବାଗି ଗାଁରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ଅଦିନିଆ ଝଡ ଯୋଗୁଁ ରାସ୍ତା ଓ ଗାଡି ଉପରେ ଗଛ ଭାଙ୍ଗିପଡିଛି ।