ସୁରଟରୁ ଓଡିଶା ଆସୁଛି ଟ୍ରେନ । ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଲେ ଶହ ଶହ ସୁରଟ ଫେରନ୍ତା । ରେଳ ଷ୍ଟେସନରେ ପ୍ରତ୍ୟେକ ଯାତ୍ରୀଙ୍କ ସ୍କ୍ରିନିଂ କରୁଛି ପ୍ରଶାସନ । 

204

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ଏବେ ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା ଓ ଚୈତ୍ର ପର୍ବ । ଏହାକୁ ଆଖି ଆଗରେ ରଖି ଶହ ଶହ ପ୍ରବାସୀ ଓଡ଼ିଆ ନିଜ ଗ୍ରାମକୁ ଫେରୁଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରୁ ଅନେକ ଲୋକ ଆସୁଛନ୍ତି । ସେପଟେ କରୋନାର ଦ୍ୱତୀୟ ଲହରୀ ପରେ ଏହି ୨ଟି ରାଜ୍ୟରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରେ କିଛି ଅଂଚଳରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଲାଗିଛି । ଆଉ ସେହି ରାଜ୍ୟର ପ୍ରବାସୀ ଓଡିଆ ଫେରିଥିବାରୁ ଗଞ୍ଜାମ ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

କରୋନାର ଦ୍ୱିତୀୟ ଲହର ଭୟ ଭିତରେ ସୁରଟରୁ ଫେରିଲେ ପ୍ରବାସୀ ଓଡିଆ । ସୁରଟରୁ ଓଡିଶାକୁ ଆସିଥିବା ଏହି ଟ୍ରେନରେ ଗଞ୍ଜାମ ତଥା ରାଜ୍ୟର ଅନ୍ୟ ସ୍ଥାନକୁ ଶହ ଶହ ଓଡିଆ ଲୋକେ ଆସିଛନ୍ତି । ବ୍ରହ୍ମପୁର ଷ୍ଟେସନର ଏହି ଦୃଶ୍ୟ ଲକଡାଉନ ସମୟରେ ପ୍ରବାସୀ ଫେରୁଥିବା ଦୃଶ୍ୟକୁ ମନେ ପକାଇ ଦେଇଛି । ସେପଟେ ଗୁଜୁରାଟର କିଛି ଅଂଚଳରେ ନାଇଟ କର୍ଫ୍ୟୁ ଜାରି ହୋଇଥିବାରୁ ପ୍ରବାସୀ ଫେରିବା ଘଟଣା ସଂକ୍ରମଣର ଭୟ ବଢାଇଛି ।

ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା, ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଚାଲୁଥିବାରୁ ମାନସିକ ରଖିଥିବା ଲୋକେ ଘରକୁ ଫେରୁଛନ୍ତି । ରେଳ ଷ୍ଟେସନରୁ ବାହାରୁଥିବା ପ୍ରବାସୀଙ୍କ ସ୍କ୍ରିନିଂ କରାଯିବା ସହ ଥଣ୍ଡା, କାଶ ଭଳି ଲକ୍ଷଣ ଥିଲେ ଆଂଟିଜେନ ଟେଷ୍ଟ କରାଯାଉଛି ।

ଜିଲ୍ଲା ପ୍ରଶାସନ ପୂର୍ବରୁ ଘୋଷଣା କରିସାରିଛି, ମହାରାଷ୍ଟ୍ର ଓ ଗୁଜୁରାଟରୁ ଆସିଲେ ୭ ଦିନ ସଙ୍ଗରୋଧରେ ରହିବାକୁ ପଡିବ । ଆଉ ଦଣ୍ଡ ଯାତ୍ରାରେ ମଧ୍ୟ ବାହାରୁ ଆସିଥିବା ଲୋକ ସାମିଲ ହୋଇପାରିବେ ନାହିଁ ।

ସେପଟେ ସୁରଟରେ ସଂକ୍ରମଣ ବଢୁଥିବା ବେଳେ କରୋନା ଟିକା କରଣ ଆରମ୍ଭ ହୋଇଛି । ସୁରଟର ୨୩ଟି ଟିକା ଦାନ କେନ୍ଦ୍ରରେ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଟେଷ୍ଟିଙ୍ଗ, ଟ୍ରେସିଂ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦିଆଯାଉଛି ।