ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ପରର କରୁଣ କାହାଣୀ : ଗୁମୁରି ଗୁମୁରି କାନ୍ଦୁଛି ପରିବାର, ସାତ ବର୍ଷର ପୁଅ ଜାଣିନି ଘଟଣା; ଘଟଣା ପୂର୍ବ ଦିନର ଭିଡିଓ ପଠାଇଥିଲେ ସଦାନନ୍ଦ

806

କନକ ବ୍ୟୁରୋ : ଗତ ସପ୍ତାହରେ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ରାଜଧାନୀକୁ ଦୋହଲାଇ ଦେଇଥିଲା । ଘଟଣାରେ ପ୍ରାଣ ହରାଇଛନ୍ତି ଗଞ୍ଜାମ ଆସ୍କା ରଘୁନାଥନଗରର ସଦାନନ୍ଦ ନାୟକ । ଲୋକେ ତାଙ୍କୁ ସ୍ନେହରେ ସତ୍ୟ ନାୟକ ବୋଲି ଡାକୁଥିଲେ । ଏବେ ଘଟଣା ପରର କରୁଣ କାହାଣୀର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । କରୋନା କାଲରେ ଲିଭିଯାଇଛି ଜୀବନ ଦ୍ୱୀପ । ପରିବାର ଉପରେ ଯେପରି ଦୁଃଖର ପାହାଡ ଖେଳିଯାଇଛି ।

ଘଟଣା ପୂର୍ବଦିନର ସଦାନନ୍ଦ କାମ କରୁଥିବା ଭିଡିଓ ଘରକୁ ହ୍ୱାଟସଅପରେ ପଠାଇଥିଲେ । ଏବେ ଆପଣ ଦେଖୁଛନ୍ତି ସେହି ଦୃଶ୍ୟ ଯାହା ସେ ଘରକୁ ପଠାଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ, ସେହିଦିନ ହିଁ ସେ ଘରକୁ ଫେରିଥାନ୍ତେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଫେରିଲା ତାଙ୍କର ମୃତଦେହ । ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ମା ।

ସଦାନନ୍ଦଙ୍କ ପରଲୋକ ପରେ ପରିବାର ଉପରେ ସତେ ଯେମିତି ବିପଦର ପାହାଡ ମାଡି ଆସିଯାଇଛି । ୮ ବର୍ଷର ପୁଅ ଜାଣିନାହିଁ ତାଙ୍କ ବାପା ଆଉ ନାହାନ୍ତି । ଏବେ ବି ବାପାଙ୍କୁ ଜଲଦି ଆସିବାକୁ ହ୍ୱାଟ୍ସଅପରେ ସେ ସଦାନନ୍ଦଙ୍କୁ ଡାକୁଛି । ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛି ପୁଅ । କଇଁ କଇଁ ହୋଇ ବାପାଙ୍କୁ ଖୋଜୁଛି । ଆସିଲେ ବୁଲେଇ ନେବେ ବୋଲି ବାପା କହିଥିଲେ । ମେସେଜ କରୁଛି ହେଲେ ବାପାଙ୍କ ଫୋନ୍ ସୁଇଚ୍ ଅଫ୍ କହୁଛି ।