ଗଞ୍ଜାମ ଜଗନ୍ନାଥପ୍ରସାଦରେ କରୋନାର କରୁଣ କାହାଣୀ : ୯ ଘଂଟା ଧରି ଅଟୋ ଭିତରେ ପଡିରହିଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଶବ, ପାଖ ମାଡିଲେନି ପଡୋଶୀ ଓ ସମ୍ପର୍କୀୟ; ସ୍ଥାନୀୟ ସରପଂଚ ସ୍ୱାମୀଙ୍କ ସହଯୋଗରେ ହେଲା ଅନ୍ତିମ ସଂସ୍କାର

499

କନକ ବ୍ୟୁରୋ : ମହାମରୀ ଠାରୁ ଅଧିକ ଯନ୍ତ୍ରଣା ଦାୟକ ମରିଯାଉଥିବା ମାନବିକତା । ଅବସରପ୍ରାପ୍ତ ଶିକ୍ଷକଙ୍କ ଶବକୁ ମିଳିଲା ନାହିଁ ସଂପର୍କୀୟ ଓ ଜ୍ଞାତି କୁଟିମ୍ବଙ୍କ କାନ୍ଧ । ଜୀବନ କାଳରେ ହଜାର ହଜାର ମଣିଷ ଗଢିଥିବା ମଣିଷର ମୃତଦେହକୁ ଅଟୋରୁ କାଢିବା ପାଇଁ ଆଗେଇ ଆସିଲେ ନାହିଁ ପଡୋଶୀ କି ସଂପର୍କୀୟ । ଅଟୋ ଭିତରେ ଘଂଟାଏ ଦୁଇ ଘଂଟା ନୁହେଁ ଦୀର୍ଘ ୯ ଘଂଟା ଧରି ପଡି ରହିଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଶବ । ଆଉ ଅଟୋ ଭିତରେ ସ୍ୱାମୀଙ୍କ ମୃତଦେହକୁ ଜଗି ରହିଥିଲେ ସ୍ତ୍ରୀ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପଂଚଭୂତି ଅଂଚଳରୁ ଆସିଛି ଏମିତି ଖବର । ସୂଚନା ଅନୁସାରେ ଗୌଡାସାହିର ଅବସରପ୍ରାପ୍ତ ଶିକ୍ଷକ ଗଣେଶ ଶତପଥୀଙ୍କୁ ୪ ଦିନ ଧରି ଜ୍ୱର ହେଉଥିଲା । ହଠାତ୍ ତାଙ୍କ ଦେହ ଗୁରୁତର ହେବାରୁ ସ୍ତ୍ରୀ ପୁଷ୍ପଲତା ତାଙ୍କୁ ଅଟୋ ସାହାଯ୍ୟରେ ଜଗନ୍ନାଥପ୍ରସାଦ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୁଣି ସେହି ଅଟୋରେ ଗଣେଶଙ୍କ ମୃତଦେହ ଧରି ଗାଁକୁ ଫେରିଥିଲେ ସ୍ତ୍ରୀ ପୁଷ୍ପଲତା । ପୁଷ୍ପଲତା ଗାଁରେ ପହଁଚିବା ପରେ ତାଙ୍କୁ ଅଟୋରୁ ତାଙ୍କ ସ୍ୱାମୀଙ୍କ ମୃତଦେହ କାଢିବାକୁ କେହି ଆସିନଥିଲେ । ଶେଷରେ ୯ ଘଂଟା ଧରି ଶବ ଅଟୋରେ ପଡି ରହିବା ପରେ ମୃତକଙ୍କ ପୁଅ ଓ ଜ୍ୱାଇଁ ପହଁଚିଥିଲେ । ପରେ ସ୍ଥାନୀୟ ସରପଂଚଙ୍କ ସ୍ୱାମୀଙ୍କ  ସହଯୋଗରେ ପିପିଇ କିଟ୍ ପିନ୍ଦି ୪ଜଣଙ୍କୁ ନେଇ ଶିକ୍ଷକଙ୍କ ଶବ ସକ୍ରାର କରାଯାଇଛି ।