ସୁନ୍ଦରଗଡ଼ରୁ ଆସିଲା କରୋନା ମୃତ୍ୟୁର ସାଂଘାତିକ୍ କାହାଣୀ । ଭାଇ ଜାଣିପାରିଲାନି, ଭାଇର ମୃତ୍ୟୁ, ହସ୍ପିଟାଲ କର୍ମଚାରୀଙ୍କ ଭୁଲ ସୂଚନା ଯୋଗୁଁ ପରିବାର ଲୋକ ହଟହଟା 

419

କନକ ବ୍ୟୁରୋ: କୋଭିଡ କେୟାର ସେଂଟରରେ ପଜିଟିଭ ଚିହ୍ନଟ ହୋଇଥିବା ଭାଇର ଚିକିତ୍ସା ଚାଲିଥିଲା । ଆକ୍ରାନ୍ତଙ୍କୁ ପ୍ରତିଦିନ ଖାଦ୍ୟ ଦେଇଆସନ୍ତି ତାଙ୍କ ଭାଇ । ଖାଦ୍ୟ ଦେବା ସମୟରେ ହସ୍ପିଟାଲ କର୍ମଚାରୀ କୁହନ୍ତି, ଭାଇ ଭଲ ଅଛନ୍ତି । କିନ୍ତୁ ହଠାତ ଆକ୍ରାନ୍ତଙ୍କ ସହିତ ଫୋନରେ ଯୋଗା ଯୋଗା ନହୋଇପାରିବରୁ କୋଭିଡ କେୟାର ସେଂଟରରେ ପହଂଚିଥିଲେ ଭାଇ । ଆଉ ଜାଣିବାକୁ ପାଇଥିଲେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇସାରିଲାଣି । କିନ୍ତୁ ଏନେଇ ହସ୍ପିଟାଲ କର୍ତୃପକ୍ଷଙ୍କ ପାଖରେ କୌଣସି ସନ୍ତୋଷଜନକ ଉତର ନଥିଲା ।

ଘର ଲୋକେ ଭାବୁଥିଲେ ପୁଅର ଚିକିତ୍ସା ଚାଲିଛି କୋଭିଡ କେୟାର ସେଂଟରରେ । କିନ୍ତୁ କୋଭିଡରେ ଆକ୍ରାନ୍ତ ପୁଅ କେତେବେଳେ ଆରପାରିକୁ ଚାଲିଗଲା ଘର ଲୋକେ ଜାଣିପାରିଲେନି । ହସ୍ପିଟାଲ ଯାଇ ଦେଖିବା ବେଳକୁ ରୋଗୀ ଗାଏବ । ବୁଝୁ ବୁଝୁ ଜଣାପଡିଲା ତାଙ୍କର ମୃତ୍ୟୁ ହୋଇସାରିଛି ।

ଗତ ୧୯ ତାରିଖରେ ପଜିଟିଭ ଚିହ୍ନଟ ହେବା ପରେ କୋଭିଡ କେୟାର ସେଂଟରରେ ଭର୍ତି ହୋଇଥିଲେ ସୁନ୍ଦରଗଡ ସହର ଅରଣ୍ୟ ନଗରର ଚନ୍ଦନଲାଲ ମୁଣ୍ଡା । ତୃତୀୟ ମହଲା ର ବେଡ୍ ନମ୍ବର ଡି-୧୩ ରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ଦିନ ହେଲା ଚନ୍ଦନଙ୍କ ଫୋନ ନଲାଗିବାରୁ ତାଙ୍କ ଭାଇ ପହଂଚିଥିଲେ ସେଂଟରରେ । ବେଡ୍ କୁ ଯାଇ ଦେଖିଲା ବେଳକୁ ତାଙ୍କ ଭାଇ ନାହାନ୍ତି । ସେଠାରେ ଅନ୍ୟଜଣେ ରୋଗୀ ଙ୍କ ଚିକିତ୍ସା ଚାଲିଛି । ନର୍ସ ଙ୍କୁ ପଚାରିବା ରୁ ସେ କହିଥିଲେ ୨୪ ତାରିଖରୁ ତାଙ୍କର ମୃତ୍ୟୁ ହୋଇଗଲାଣି । ହସପିଟାଲ କର୍ତୁପକ୍ଷ କୌଣସି ଉତର ନଦେବାରୁ ସେମାନେ ସୁନ୍ଦରଗଡ ଟାଉଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଆଉ ଏକ ଘଟଣାରେ ଅକ୍ସିଜେନ ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେମାନଙ୍କ ଅଭିଯୋଗ, ରୋଗୀ ଗୁରୁତର ଅସୁସ୍ଥ ହେବା ସମୟରେ ତାଙ୍କ ଠାରେ ଅକ୍ସିଜେନ ସିଲିଣ୍ଡର ଲାଗିଥିଲା କିନ୍ତୁ ସେଥିରେ ଅକ୍ସିଜେନ ନଥିଲା । ଆଉ ଏହି କାରଣ ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣା ନେଇ ଜିଲା୍ଲପାଳ କିମ୍ବା ସିଡିଏମଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।