ଅସହାୟ ପରିବାରର କରୁଣ କାହାଣୀ । ଦିନେ ପୁଅର ରୋଜଗାର ଉପରେ ଭରସା କରୁଥିଲା ପରିବାର । ଏବେ ପୁଅ ରୋଗାକ୍ରାନ୍ତ ହେବାପରେ ଅର୍ଥ ସାଜିଛି ବାଧକ

283

କନକ ବ୍ୟୁରୋ: ଏକ ଅସହାୟ ପରିବାରର କରୁଣ କାହାଣୀ ଯାହା ଆପଣଙ୍କ ଆଖିକୁ ଓଦା କରିଦେବ । ଦିନେ ପୁଅର ରୋଜଗାର ଉପରେ ଭରସା କରୁଥିଲା ପୁରା ପରିବାର । ଆଉ ଏବେ ପୁଅ ରୋଗାକ୍ରାନ୍ତ ହୋଇ ଘରେ ବସି ଯିବା ପରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଖାଇବାକୁ ଟଙ୍କା ନଥିବା ବେଳେ କେଉଁଠୁ ଟଙ୍କା ଆସିବ, କେମିତି ଚିକିତ୍ସା ହେବ ତାକୁ ନେଇ ଚିନ୍ତାରେ ପଡିଛନ୍ତି ବୁଢି ମାଆ ।

ମାଟି କାନ୍ଥକୁ ସାହା ବାଉଁଶ ଢିରା । ଫଟା କାନ୍ଥର ଏହି ଘରେ ରୁହନ୍ତି ୪ ପ୍ରାଣୀ ପରିବାର । ଆଉ ଏଇ ଘରକୁ ଦେଖି ଆପଣମାନେ ଅନୁମାନ କରିପାରୁଥିବେ ଏ ପରିବାରର ଆର୍ଥିକ ଦୁରାବସ୍ଥା । କେନ୍ଦ୍ରାପଡା ମାର୍ଶାଘାଈ ବ୍ଲକ ମାଣିକପୁର ଗାଁ କେଦାର ମାହାଳି । ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରି ବୁଢି ମାଆ, ସ୍ତ୍ରୀ ଓ ଝିଅଙ୍କ ପେଟରେ ଦାନା ଦେଉଥିଲେ । ହେଲେ ହଠାତ୍ ତାଙ୍କ ଜୀବନ ଆକାଶରେ ଘୋଟି ଆସିଲା ଦୁଃଖ-ଯନ୍ତ୍ରଣାର କଳା ବାଦଲ । ୧୫ ବର୍ଷ ତଳେ କମ୍ପାନୀରେ କାମ କରୁଥିବା ବେଳେ ମୁଣ୍ଡ ଉପରେ କଂକ୍ରିଟ ସ୍ଲାବ ଖସି ପଡି ଆହତ ହୋଇଥିଲେ । ସେତେବେଳେ ଚିକିତ୍ସା ହୋଇ ଭଲ ହୋଇଥିବା ବେଳେ ଗତ ୩ ବର୍ଷ ହେଲା ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି କେଦାର ।

ଗୋଡ-ହାତ ଝିମଝିମ ହେବା ସହ ମୁଣ୍ଡ ବୁଲାଇ ଦେଉଛି । ପାଦେ ଚାଲିବାକୁ ଅକ୍ଷମ କେଦାରଙ୍କ ଚିକିତ୍ସା ବାବଦରେ ସବୁ ବିକିଭାଙ୍ଗି ସାରିଲେଣି ସ୍ତ୍ରୀ ବୈଜୟନ୍ତୀ । ହେଲେ ସେ ସୁସ୍ଥ ହେବା ବଦଳରେ ଦିନକୁ ଦିନ ଅଧିକ ଅସୁସ୍ଥ ହୋଇପଡୁଛନ୍ତି । ଏପରି ଅବସ୍ଥା ଦେଖି ମାଆ ଓ ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି ।
କେଦାରଙ୍କ ପରିବାରକୁ ସରକାରୀ ସାହାଯ୍ୟ କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ୨୦ କିଲୋ ରାସନ୍ ଏବଂ ବିଧବା ମାଆଙ୍କୁ ୫୦୦ ଟଙ୍କା ଭତା ମିଳୁଛି । ୧୫ ଦିନରେ ୨୦ କେଜି ରାସନ୍ ସରି ଯାଉଥିବା ବେଳେ ବାକି ୧୫ ଦିନ ଦାନା ଗଣ୍ଡାଏ ପାଇଁ ସଂଘର୍ଷ କରିବାକୁ ପଡୁଛି । ଏଭଳି ସ୍ଥିତିରେ ଚିକିତ୍ସା କଥା ଚିନ୍ତା କରି ପାରୁନାହାନ୍ତି ପରିହାର । ସେପଟେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳଙ୍କ କହିଛନ୍ତି କେଦାର, ଆବେଦନ କଲେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁଦାନ ଦିଆଯାଇ ପରିବ ।

ସରକାରୀ ହେଉ କି ବେସରକାରୀ ସୂତ୍ରରୁ ଯଦି କିଛି ସହାୟତା ମିଳେ ତେବେ କେଦାର ସୁସ୍ଥ ହେବା ସହ ପରିବାର ବଂଚି ଯାଇପାରିବ ।
କେଦାର ମାହାଳି
ଗ୍ରାମ- ମାଣିକପୁର
ବ୍ଲକ- ମାର୍ଶାଘାଇ
ଜିଲ୍ଲା- କେନ୍ଦ୍ରାପଡା, ପିନ୍-୭୫୪୨୧୩
ଆକାଉଁଣ୍ଟ ନମ୍ବର- ୧୩୮୮୩୨୧୧୦୧୩୧୧୨
ଆଇଏଫଏସସି କୋଡ: ୟୁସିବିଏ ୦୦୦୧୩୮୮