କରୋନାର କରୁଣ ଦୃଶ୍ୟ : ସୁସ୍ଥ ହୋଇ ହସପିଟାଲରୁ ଫେରିବା ବାଟରେ ଚାଲିଗଲା ଜୀବନ; କାନ୍ଧ ନ ମିଳିବାରୁ ବାଇକରେ ବାପାର ମୃତଦେହକୁ ଶ୍ମଶାନକୁ ନେଲା ପୁଅ

858

କନକ ବ୍ୟୁରୋ : କରୋନାର କରୁଣ ଦୃଶ୍ୟ । ସୁସ୍ଥ ହୋଇ ହସପିଟାଲରୁ ଫେରିବା ବାଟରେ ଚାଲିଗଲା ଜୀବନ । କାନ୍ଧ ନ ମିଳିବାରୁ ବାଇକରେ ବାପାର ମୃତଦେହକୁ ଶ୍ମଶାନକୁ ନେଲା ପୁଅ । କୋଭିଡ ହସପିଟାଲରେ ପତ୍ନୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର  ବ୍ଲକ୍ ଅର୍ମଦା ପଂଚାୟତର ପୂର୍ଣ୍ଣଚନ୍ଦ୍ରପୁର ଗାଁରେ । ସୂଚନା ଅନୁଯାୟୀ ପୋଷ୍ଟାଲ ବିଭାଗରେ କାର୍ଯ୍ୟରତ ଥିବା ୫୬ ବର୍ଷିୟ ରାଜେନ୍ଦ୍ରଙ୍କର ଗତ ୪ ତାରିଖରେ ହାର୍ଟ ପ୍ରୋବ୍ଲେମ ବାହାରିଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲକୁ ନିଆଯାଇଥିଲା । ନିୟମ ମୁତାବକ ସେଠାରେ ପ୍ରଥମେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଦୁର୍ଭାଗ୍ୟ ବଶତଃ ରିପୋର୍ଟ ପଜିଟିଭ୍ ଆସିଥିଲା ଓ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସା ପରେ ଗତ ୧୭ ତାରିଖରେ ରାଜେନ୍ଦ୍ର ସୁସ୍ଥ ହୋଇଥିଲେ । ମାତ୍ର ସରକାରୀ ଗାଡି ନଥିବାରୁ ତାଙ୍କ ସମ୍ପର୍କୀୟମାନେ ଏକ ଘରୋଇ ଗାଡିରେ ତାଙ୍କୁ ଗାଁକୁ ନେଇଥିଲେ ।

ହେଲେ ଘରକୁ ଫେରିବା ବାଟରେ ବସ୍ତା ନିକଟରେ ସେ ହଠାତ ଟଳିପଡିଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ବସ୍ତା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରୁଥିଲେ । ଏହାପରେ ସାଙ୍ଗରେ ଯାଇଥିବା ଗାଡିଟି ମୃତ ଦେହକୁ ଛାଡି ଚାଲିଯାଇଥିଲା । ଫଳରେ ବାଧ୍ୟହୋଇ ବାପାଙ୍କ ମୃତ ଦେହକୁ ମଟର ସାଇକେଲରେ ବୋହି ମଶାଣିକୁ ନେଇଥିଲେ ପୁଅ । ଆଉ ଜେସିବିରେ ଗାତ ଖୋଳି ପୋତି ଦେଇଥିଲେ । ଅନ୍ୟପଟେ କରୋନା ଆକ୍ରାନ୍ତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ମୃତକଙ୍କ  ପତ୍ନୀ । । ତାଙ୍କୁ ଏପର୍ଯ୍ୟନ୍ତ ସ୍ୱାମୀଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇନାହିଁ । ସେ ସେଠାରେ ଏବେବି ସଧବା ବେଶରେ ରହିଛନ୍ତି ।