କରୋନାର କରୁଣ ଚିତ୍ର । କଟକରୁ ଆକ୍ରାନ୍ତଙ୍କୁ ଆଣି ରାସ୍ତା ମଝିରେ ଛାଡି ଚାଲିଗଲା ଆମ୍ବୁଲାନ୍ସ, ସଂକ୍ରମଣ ଭୟରେ ଘରକୁ ନେଲେନି ପରିବାର ଲୋକେ

705

କନକ ବ୍ୟୁରୋ : କରୋନାର କରୁଣ କାହାଣୀ । ଦୀର୍ଘ ସମୟ ଧରି ରାସ୍ତା ଉପରେ ଶୋଇ ରହିଲେ କରୋନା ଆକ୍ରାନ୍ତ । ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ନେବା ପାଇଁ ଦାବି କରି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ । ଏଭଳି ଏକ ଖବର ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନନ୍ଦାପଟଣା ଗାଁରୁ । ଖବର ଅନୁସାରେ, ଏକ ଘରୋଇ ଆମ୍ବୁଲାନ୍ସ ଏହି ମହିଳା ଆକ୍ରାନ୍ତଙ୍କୁ କଟକରୁ ଆଣି ଗାଁରେ ରାସ୍ତାରେ ଛାଡି ଚାଲିଯାଇଛି । ମହିଳା ଜଣଙ୍କ ୧୫ ଦିନ ହେବ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି ।

ତେବେ ମହିଳା ଜଣଙ୍କ କରୋନା ପଜିଟିଭ ବୋଲି ଜଣାପଡିବା ପରେ ଏକ ଘରୋଇ ଆମ୍ବୁଲାନ୍ସରେ ତାଙ୍କୁ ଗାଁକୁ ପଠାଇ ଦେଇଥିଲେ ସଂପୃକ୍ତ ଡାକ୍ତରଖାନା କର୍ତୃପକ୍ଷ । ହେଲେ ଭୂତାଣୁ ସଂକ୍ରମିତ ମହିଳାଙ୍କୁ ଗାଁରେ ରଖିବାକୁ ବିରୋଧ କରିଥିଲେ ଗ୍ରାମବାସୀ । ସଂକ୍ରମଣ ଭୟ ଥିବାରୁ ଆକ୍ରାନ୍ତଙ୍କୁ କୋଭିଡ ଡାକ୍ତରଖାନାକୁ ପଠାଇବାକୁ ଦାବି କରି ରାସ୍ତାରୋକ କରିଥିଲେ ପରିବାର ଓ ଗ୍ରାମବାସୀ ।

ଆକ୍ରାନ୍ତ ମହିଳାଙ୍କୁ ରାସ୍ତା ମଝିରେ ଶୁଆଇ ପ୍ରତିବାଦ କରିଥିଲେ ଲୋକେ । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସ୍ଥାନୀୟ ନାୟକଣିଡିହି ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି । ପରେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ସଂପୃକ୍ତ ମହିଳାଙ୍କୁ କୋଭିଡ ହସ୍ପିଟାଲକୁ ପଠାଇଛନ୍ତି ।