କନକ ବ୍ୟୁରୋ: ଦାଦନ ଶ୍ରମିକର ଦାରୁଣ ଦୁଃଖ । ମହିଳାଙ୍କ ମୃତଦେହ ଆଣିବା ପାଇଁ ସୁନା ବନ୍ଧା ରଖି ଟଙ୍କା ପଠାଇଲେ ପରିବାର ଲୋକ । ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଥିବା ମହିଳା ଶ୍ରମିକଙ୍କ ଶବ ପଠାଇବାକୁ ସାହାଯ୍ୟ କଲାନି କମ୍ପାନୀ । ମୃତଦେହ ଗାଁକୁ ଆଣିବା ପାଇଁ ପରିବାର ଲୋକ ସୁନା ଅଳଙ୍କାର ବନ୍ଧା ରଖି ୩୦ ହଜାର ଟଙ୍କା ପଠାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ ପିପଲଗୁଡା ଗାଁରେ ।

Advertisment

ଗତବର୍ଷ ନଭେମ୍ବର ମାସରେ ସ୍ୱାମୀ ଗିରିଧର ପୁଆଲାଙ୍କ ସହ କାମ କରିବାକୁ ତାମିଲନାଡୁ ଯାଇଥିଲେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ । ଗତ ଜାନୁଆରୀ ୨୫ ତାରିଖରେ କୌଣସି କାରଣବଶତଃ ନିଆଁରେ ପୋଡି ହୋଇଯାଇଥିଲେ । ତାଙ୍କୁ ସେଠାରେ ଭଲ ଚିକିତ୍ସା ମଧ୍ୟ କରାଯାଇନଥିବା ଅଭିଯୋଗ ହୋଇଛି । ୧୧ ଦିନ ଧରି ମେଡିକାଲରେ ରହିବା ପରେ ଗତ ଫେବୃଆରୀ ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ପାଖରେ ଟଙ୍କା ନ ଥିବା ବେଳେ କମ୍ପାନୀ ମୃତଦେହ ପଠାଇବା ପାଇଁ କୌଣସି ସାହାଯ୍ୟ କରିନଥିଲା । ସମ୍ପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆର୍ଥିକ ସାହାଯ୍ୟ ପାଇଁ ପରିବାର ଲୋକ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ନିକଟରେ ନିବେଦନ କରିଛନ୍ତି ।