ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକତାର ସ୍ପର୍ଶ: ମାଆଙ୍କର କରୁଣାଲାଭ ପାଇଁ ଏମିତି କରୁଛନ୍ତି ମାନସିକଧାରୀ

131

କନକ ବ୍ୟୁରୋ: କଥାରେ ଅଛି, ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର୍ । ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକତାର ସ୍ପର୍ଶ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଭୀମପୁର ଗାଁର ବେଶ ଧୁମ୍ ଧାମରେ ପାଳିତ ହୋଇିଛି ଖାଇଫୋଡ ଯାତ୍ର଼ା ।

ପିଠିରେ କଂଟା ଫୋଡ଼ି ଖାଇରେ ଝୁଲୁଛନ୍ତି ମାନସିକଧାରୀ । ମାଆଙ୍କର କରୁଣାଲାଭ କରିବା ପାଇଁ ତିରିଶ ହାତରୁ ଉଦ୍ଧ୍ୱର୍ ଖାଇ ଉପରେ ମାନସିକଧାରୀ ମାନେ ଝୁଲୁଥିବା ଦେଖିବାକୁ ମିଳିଛି । ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଭୀମପୁର ଗାଁର । ଗାଁର ଆରାଧ୍ୟ ଦେବୀ ଗଡ଼ଚଣ୍ଡିଙ୍କ ମନ୍ଦିର ଆଗରେ କଂଟାଫୋଡ଼ି ହୋଇ ଝୁଲିଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ମହାବିଷୁବ ସଂକ୍ରାନ୍ତି ଦିନ ଏହି ନିଆରା ଖାଇଫୋଡ଼ ଯାତ୍ରା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମାନସିକଧାରୀମାନେ ଏଥିରେ ବ୍ରତୀ ହେବା ପାଇଁ ଏକମାସ ପୂର୍ବରୁ ଅତି ନିଷ୍ଠାର ସହିତ ରହିଥାନ୍ତି । ମାସର ପ୍ରତ୍ୟେକ ଦିନ ହବିଷାନ୍ନ ଭୋଜନ କରିବା ସହିତ ମଙ୍ଗଳବାର ଦିନ ଠାକୁରାଣୀଙ୍କ ପାଖରେ କଂଟା ପୂଜା କରିଥାନ୍ତି । ମହାବିଷୁବ ସଂକ୍ରାନ୍ତି ଦିନ ମାନସିକଧାରୀମାନେ ମାଆଙ୍କ ପାଖେ ଗୁହାରି ପଡ଼ିଥାନ୍ତି । ରୀତିନୀତି ସମ୍ପନ୍ନ ହେବା ପରେ କାଳିସୀମାନେ ଠାକୁରାଣୀଙ୍କ ଆଜ୍ଞାମାଳ ଆଣି ପାଖ ପୋଖରୀକୁ ଯାଇ ଖାଇଫୋଡ଼ରେ ବୁଲିଥାଆନ୍ତି ।

ଏହି ଯାତ୍ରାରେ କାଳିସିମାନେ ମାନସିକଧାରୀଙ୍କ ପିଠିରେ କଂଟା ଫୋଡ଼ିଥାନ୍ତି । ମାନସିକଧାରୀଙ୍କ ସହିତ କାଳୀସୀମାନେ ଆସି ଖାଇରେ ପ୍ରଥମେ ବୁଲିବାପରେ ମାନସିକଧାରୀମାନେ ତିରିଶଫୁଟ ଉପରେ ଖାଇରେ ବୁଲିଥାନ୍ତି । ଏହିପରି ଭାବେ ଅନେକ ରୀତିନୀତିରେ ସମ୍ପନ୍ନ ହୁଏ ଏହି ପୂଜା । ଏହା ସହ ଶ୍ରଦ୍ଧାଳୁମାନେ ସେମାନଙ୍କ ପିଲାମାନଙ୍କୁ ମାନସିକଧାରୀଙ୍କ ବା କାଳିସୀଙ୍କ ହାତରେ ଦେଇ ଆର୍ଶୀବାଦ କାମନା କରିଥାନ୍ତି । ବିଶେଷ କରି ଖାଇରେ ବୁଲିବା ସମୟରେ କାଳିସୀମାନଙ୍କ ଦ୍ୱାରା ଫୋପଡ଼ାଯାଉଥିବା ଖଜୁରୀ କୋଳି ଓ ଆମ୍ବକୁ ଖାଇଲେ ନିଃସନ୍ତାନ ପ୍ରାପ୍ତି ହୋଇଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକତା । ନିଷ୍ଠାର ସହ ବିଶ୍ୱାସରେ ଭଗବାନଙ୍କୁ ଡ଼ାକିଲେ ଭଗବାନ ଶୁଣନ୍ତି ବୋଲି ଖାଇଫୋଡ଼ ଯାତ୍ରାରୁ ସ୍ପଷ୍ଟ ଜଣାପଡ଼ୁଛି ।