୫୦ କୋଟିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! କିନ୍ତୁ ସୁନାଗହଣା ଓ ଦାମୀ ଗାଡି ପ୍ରତି ନାହିଁ ସଉକ

197

କନକ ବ୍ୟୁରୋ : ସବୁବେଳେ ସରଳ ଜୀବନଯାପନ ଉପରେ ବିଶ୍ୱାସ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇ ବସିବେ । ପଚାଶ କୋଟିର ମାଲିକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୬-୧୭ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ତାଲିକାରେ ଏହି ତଥ୍ୟ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଦେଇଥିବା ସମ୍ପତି ତାଲିକା ଅନୁସାରେ, ତାଙ୍କ ବ୍ୟାଙ୍କ ଆକାଉଂଟରେ ରହିଛି ୨୪ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା । ଭୁବନେଶ୍ୱରର ଏସବିଆଇ ଆକାଉଂଟରେ ୧୨ ଲକ୍ଷ ୪୬ହଜାରରୁ ଅଧିକ ଟଙ୍କା ଥିବାବେଳେ ଦିଲ୍ଲୀ ଦୁଇଟି ବ୍ୟାଙ୍କ ଆକାଉଂଟରେ ରହିଛି ୧୨ ଲକ୍ଷରୁ ଅଧିକ ଟଙ୍କା ।

naveen 3ସେହିଭଳି ଦିଲ୍ଲୀର ଅବଦୁଲ କଲାମ ରୋଡରେ ଥିବା ଘରେ ନବୀନ ପଟ୍ଟନାୟକଙ୍କ ୫୦ ପ୍ରତିଶତ ଅଂଶଧନ ଅଛି । ଏହାର ମୂଲ୍ୟ ଆନୁମାନିକ ୩୬ କୋଟି ଟଙ୍କା ହେବ । ଦିଲ୍ଲୀ ଫରିଦାବାଦରେ ରହିଛି ୨୨ ଦଶମିକ ୭ ଏକରର ଫାର୍ମ ହାଉସ ଓ କୋଠା । ଏହାର ଆନୁମାନିକ ମୂଲ୍ୟ ହେବ ୭ କୋଟି ୨୫ ଲକ୍ଷ ୩୪ ହଜାର ଟଙ୍କା । ନବୀନ ନିବାସରେ ବି ମୁଖ୍ୟମନ୍ତ୍ରୀଙ୍କ ଦୁଇ ତୃତୀୟାଂଶ ସେୟାର ରହିଛି । ଏହାର ମୂଲ୍ୟ ହେବ ୫ କୋଟି ୭୦ ଲକ୍ଷ ଟଙ୍କା । ଏସବୁକୁ ମିଶାଇଲେ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୦ କୋଟି ଟଙ୍କା ହେବ ।

naveen 2ସବୁଠାରୁ ବଡ କଥା ହେଲା ନବୀନ ନିଜ ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ ଧାର ସୁତ୍ରରେ ଆଣିଛନ୍ତି ୧୫ ଲକ୍ଷ ଟଙ୍କା । ତେବେ ସୁନାଗହଣା ଓ ଦାମୀ ଗାଡି ପ୍ରତି ତାଙ୍କର ସେମିତି ସଉକ ନାହିଁ । ଯେତିକି ସୁନାଗହଣା ଅଛି ତାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ । ସେହିଭଳି ଦିଲ୍ଲୀ, ଭୁବନେଶ୍ୱରରେ ଥିବା ସମ୍ପତ୍ତିର ମୂଲ୍ୟ ବି ସେ ନିଜ ସମ୍ପତି ତାଲିକାରେ ଦର୍ଶାଇଛନ୍ତି । ବିଳାସପୂର୍ଣ୍ଣ ଗାଡି ପ୍ରତି ତାଙ୍କର ଆଦୌ ସଉକ ନାହିଁ । ସରକାରୀ ଗାଡିରେ ନବୀନ ପ୍ରାୟତଃ ଅଧିକାଂଶ ସ୍ଥାନକୁ ଯାଇଥାନ୍ତି । ଏବେ ମଧ୍ୟ ସେ ୧୯୮୦ ମସିହାର ଏକ ଆମ୍ବାସଡର କାର ବି ବ୍ୟବହାର କରୁଛନ୍ତି ।