ଟୋକନ ଅବଧି ସରିଗଲା, ହେଲେ ମଣ୍ଡି କିଣିଲାନି ଧାନ । ବାଧ୍ୟ ହୋଇ ଚାଷୀ ହେଲେ ଛତିଶଗଡ଼ ମୁହାଁ । ଶାଗ ମାଛ ଦରରେଧାନ ବିକିବାକୁ ଅଂଟା ଭିଡିଲେ ଚାଷୀ ।

89

କନକ ବ୍ୟୁରୋ: ଧାନ ବିକ୍ରିକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ସେଇଆ ହିଁ ହେଉଛି । ଓଡ଼ିଶା ଧାନ ଯାଉଛି, ପଡ଼ୋଶୀ ଛତିଶଗଡ଼ । ଅବଶ୍ୟ ଚାଷୀ ଛତିଶଗଡ଼ରେ ଅଧିକ ଟଙ୍କା ମିଳୁଥିବାରୁ ନିଜ କଷ୍ଟ ଉପାର୍ଜିତ ଧାନକୁ ପଡ଼ୋଶୀ ରାଜ୍ୟକୁ ନେଉ ନାହାନ୍ତି, ବରଂ ଓଡ଼ିଶାରେ ଧାନ ବିକ୍ରି କରି ନପାରିବାରୁ ବାଧ୍ୟ ହୋଇ ଅନ୍ୟତ୍ର ବିକ୍ରି କରିବା ପାଇଁ ମଣ୍ଡିରୁ ଧାନ ଉଠାଇ ନେଉଛନ୍ତି । ଏଭଳି ଚିନ୍ତାଜନକ ଚିତ୍ର ଆସିଛି, ବରଗଡ଼ ଜିଲ୍ଲା ପଦ୍ମପୁର ଅଂଚଳରୁ ।

ଡିସେମ୍ବର ୯ରୁ ମାର୍ଚ୍ଚ ୯ ତାରିଖ ହେବାକୁ ବସିଲାଣି । ଧାନ ବିକ୍ରି ପାଇଁ ଚାଷୀ ଆଉ କେତେ ଦିନ ଆଉ ଅପେକ୍ଷା କରିଥାନ୍ତା । କେତେବେଳେ ଟୋକନ୍ ଲାପ୍ସ କରିଗଲା, ତ ଆଉ କେତେବେଳେ ଟାର୍ଗେଟ୍ ପୂରଣ ହୋଇଗଲା କହି, ଧାନ କିଣା ବନ୍ଦ ରହିଲା । ସ୍ଥିତି ଏମିତି ହେଲା ଯେ, ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ପଦ୍ମପୁର ଚାଷୀ ଦିନ ଦିନ ଧରି ମଣ୍ଡିରେ ପଡ଼ି ରହିଲା । ଶେଷରେ ନିରାଶ ହୋଇ ଛତିଶଗଡ଼ ଆଡକୁ ମୁହଁ ବୁଲାଇ ନେଇଛି ଓଡ଼ିଶାର ଚାଷୀ ।

ହୁଏତ ଚାଷୀଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା । କାରଣ, ଚାଷ ପାଇଁ କରିଥିବା କରଜ, ପରିଶୋଧ କରିବାକୁ ଅଛି । ସାହୁକାର, ଚାଷୀ ଆଡକୁ ଚାହିଁ ରହିଛି, ଆଉ ଧାନ ବିକ୍ରି ହୋଇପାରୁନି । ଆଉ ଏଭଳି ସ୍ଥିତିରେ ଛତିଶଗଡ଼କୁ ଚାଲିଯାଉଛି ଓଡ଼ିଶାର ଧାନ । କାରଣ, ସେଠି ବୋନସ୍ ଓ ଅଧିକା ଦାମ ମିଳିବାର ଗୋଟିଏ ସୁଯୋଗ ବି ରହୁଛି ।