ଭଦ୍ରକରେ ମାତିଲେ ତମାଖୁ ମାଫିଆ । ପୋଲିସ ଉପସ୍ଥିତିରେ ସାମ୍ବାଦିକଙ୍କୁ ମାଡ଼ । ନକଲି ଜର୍ଦ୍ଦା କାରଖାନାରେ ଚଢାଉ ବେଳେ ପୋଲିସକୁ ବି ରଖିଲେ ଅଟକ ।

93

କନକ ବ୍ୟୁରୋ : ନକଲି ଜର୍ଦ୍ଦା କାରଖାନାରେ ଚଢାଉ ସମୟରେ ପୁଲିସ ଉପସ୍ଥିତିରେ ସାମ୍ବାଦିକଙ୍କୁ ଆକ୍ରମଣ । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ହେଲାସାହିରେ ଘଟିଛି ଏହି ଘଟଣା । ନକଲି ଜର୍ଦା ଫ୍ୟାକ୍ଟ୍ରିରେ ଚଢାଉ ଖବର ଶୁଣି କଭରେଜ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଜର୍ଦ୍ଦା ମାଫିଆ । ସାମ୍ବାଦିକଙ୍କୁ ମାଡ ମାରି ମୋବାଇଲ ଭାଙ୍ଗିଦେବା ସହ ବୁମ ଓ ବ୍ୟାଗ ଛଡାଇ ନେଇଥିବା ଅଭିଯୋଗ ହୋଇଛି ।

ତେବେ ଉଦବେଗର ବିଷୟ ହେଉଛି, ପୁଲିସ ଉପସ୍ଥିତିରେ ସାମ୍ବାଦିକଙ୍କୁ ମାରଧର କରିଛନ୍ତି ଜର୍ଦ୍ଦା ମାଫିଆ ଓ ତାଙ୍କ ସମର୍ଥକ । ଆଉ ନୀରବଦ୍ରଷ୍ଟା ସାଜିଥିଲା ପୁଲିସ । ପୁରୁଣା ବଜାର ଥାନା ଅଂଚଳର ହେଳା ସାହିରେ ନକଲି ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ଚଢାଉ କରିଥିଲା ଭଦ୍ରକ ପୁଲିସ । ସେଠାରୁ ନକଲି ଜର୍ଦ୍ଦା ଓ ଜର୍ଦ୍ଦା ତିଆରି ସାମଗ୍ରୀ ଜବତ ପରେ ମାଫିଆଙ୍କ ସହଯୋଗୀମାନେ ଉତ୍ୟକ୍ତ ହୋଇ ପୁଲିସ ଗାଡିକୁ ଘେରାଉ କରି ଆଟକ ରଖିଥିଲେ । ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମାଫିଆମାନେ ଆକ୍ରମଣ କରିଥିଲେ ।

ତେବେ ଖବର ପାଇ ଅଧିକ ପୁଲିସ ଫୋର୍ସ ଘଟଣାସ୍ଥଳକୁ ଯାଇ ଅଟକ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଜବତ ନକଲି ଜର୍ଦ୍ଦା ଓ ସାମଗ୍ରୀ ଉଦ୍ଧାର କରିଛନ୍ତି । ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରିନାହିଁ । ଅନ୍ୟପଟେ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ ପୁରୁଣା ବଜାର ଥାନା ଅଂଚଳରେ ସାମ୍ବାଦିକ ସଂଘ ପକ୍ଷରୁ ଏତଲା ଦିଆଯାଇଛି ।