କନକ ବ୍ୟୁରୋ : ବାଘ ଛାଲ ପାଇଁ ଡିଲ୍ । ଧୀରେ ଧୀରେ ଖୋଲୁଛି ଗୁମର । ଭିଡିଓ ହେଉଛି ଭାଇରାଲ । ବାଘ ଛାଲ କାରବାର କରୁଥିବା ନେଇ ଏସଟିଏଫ ଦ୍ୱାରା ଗିରଫ ହୋଇଥିବା ରଣପୁର ବ୍ଲକ ବନ୍ଧମୁଣ୍ଡା ପଂଚାୟତର ସମିତିସଭ୍ୟ ଲକ୍ଷୀଧର ନାୟକଙ୍କ ବେଆଇନ କାରବାରର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି । ଏହି କାରବାରରେ କେବଳ ଲକ୍ଷୀଧର ନୁହନ୍ତି , ଆହୁରି କିଛି ବ୍ୟକ୍ତି ଥିବା ଜଣାଯାଇଛି । ଏପିରିକି ସମିତିସଭ୍ୟ ବାଘକୁ ମାରିବା ପରେ ତା ଦେହରୁ ଛାଲ ଉତାରୁଥିବାର ଏକ ଫଟୋ ଭାଇରାଲ ହୋଇଛି । ଏହି ସମୟରେ ଅନ୍ୟଦୁଇଜଣ ବ୍ୟକ୍ତି ତାଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ସମିତି ସଭ୍ୟ ତଥା ଗିରଫ ଅଭିଯୁ୍କ୍ତ ଲକ୍ଷ୍ମୀଧରଙ୍କ ପଂଚାୟତ ବନ୍ଧମୁଣ୍ଡା ତଥା ଗାଁ ଜାମୁଗଣ୍ଡ ସଂରକ୍ଷିତ ଜଙ୍ଗଲ ନିକଟବର୍ତୀ । ଏହା ରଣପୁରର ଏକ ଅଗମ୍ୟ ଅଂଚଳ । ଏଠାରେ ହାତୀଠାରୁ ଆରମ୍ଭ କରି ଅନ୍ୟ ବନ୍ୟଜନ୍ତୁ ରହୁଛନ୍ତି । ଏହି ପଂଚାୟତକୁ ପ୍ରବେଶ ପାଇଁ ଚେକପୋଷ୍ଟ ରହିଛି । ବନବିଭାଗର କର୍ମଚାରୀ ଏଠାରେ ନିୟୋଜିତ ଅଛନ୍ତି ।
ତେଣୁ ଏଠାରେ କିଭଳି ବାଘକୁ ହତ୍ୟା କରାଗଲା, ବନବିଭାଗ କିଭଳି ଜାଣପାରିଲାନି ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଯଦି ଅନ୍ୟ ଅଂଚଳରୁ ବାଘ ଶୀକାର କରି ଏହି ଅଂଚଳକୁ ଅଣାଗଲା, ତାହାହେଲେ ବନବିଭାଗ କର୍ମଚାରୀ ଜାଣିପାରିଲେ ନାହିଁ କିଭଳି । ଏସଟିଏଫ, ଲକ୍ଷୀଧରଙ୍କ ନିକଟରୁ ଦୁଇଟି ବାଘ ଛାଲ ଜବତ କରିବା ପରେ ଅସୁରକୁମାରୀ ଜଙ୍ଗଲରେ ବାଘ ମୃତ୍ୟୁ ଘଟଣା ସହିତ ତାଙ୍କ ଲିଙ୍କ୍ ଥିବା ଚର୍ଚ୍ଚାକୁ ଆସିଛି । ଗୋଟିଏ ସପ୍ତାହ ମଧ୍ୟରେ ଦଶପଲ୍ଲା ଓ ରଣପୁର ଅଂଚଳରୁ ୩ ବେପାରୀ ଗିରଫ ହେବା ସହ ବାଘ ଛାଲ ଓ ହରିଣ ଛାଲ ଜବତ ହେବା ଘଟଣା ବନ୍ୟଜନ୍ତୁଙ୍କ ଜୀବନ ଆଶଙ୍କାରେ ଥିବା ସ୍ପଷ୍ଟ କରୁଛି ।