ସ୍ଥଳଭାଗ ଅତିକ୍ରମ ସମୟରେ ବହୁ ଉପରକୁ ଉଠିବ ସମୁଦ୍ର ଜୁଆର । ୪ ମିଟର ଯାଏଁ ଉଚ୍ଚାରେ ଉଠିବ ଜୁଆର । ପଢନ୍ତୁ କେଉଁଠି କେତେ ଜୁଆର ଉଠିବ?

266

କନକ ବ୍ୟୁରୋ: ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପରେ ମାଡି ଆସିବ ସମୁଦ୍ର ପାଣି  । ପାଣିପାଗ ବିଭାଗ ଏମିତି ଆକଳନ କରିବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଯଦି ସମୁଦ୍ର ପାଣି ମାଡି ଯାଏ ତେବେ ବ୍ୟାପକ କ୍ଷୟକ୍ଷତି ଘଟାଇବ । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ଉପକୂଳବର୍ତି ଅଂଚଳରେ ରହୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ କରାଯାଉଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ, ସମୁଦ୍ରରେ ପ୍ରବଳ ଉଚ୍ଚରେ ଜୁଆର ଆସିବ । ଆଉ ଲ୍ୟାଣ୍ଡଫଲ କରିବାକୁ ଥିବା ସ୍ଥାନ ସମତଳ ଅଂଚଳ ହୋଇଥିବାରୁ ସମୁଦ୍ର ପାଣି ସ୍ଥଳଭାଗ ଭିତରକୁ ମାଡି ଆସିବାର ଆଶଙ୍କା ରହିଛି ।  ପାଣିପାଗ ବିଭାଗର ଆକଳନ ଅନୁସାରେ, ଭଦ୍ରକରେ ୭ କିଲୋମିଟ. କେନ୍ଦ୍ରାପଡାରେ ୨ ଦଶମିକ ୬ କିଲୋମିଟର ଓ ବାଲେଶ୍ୱରରେ ୨ ଦଶମିକ ୩କିଲୋମିଟର ପର୍ଯ୍ୟନ୍ତ ସ୍ଥଳଭାଗ ଭିତରକୁ ଲୁଣି ପାଣି ମାଡି ଆସିବ । ଏପିରିକି ଜୁଆର ଉଚ୍ଚତା ମଧ୍ୟ ଅଢ଼େଇ ମିଟର ପର୍ଯ୍ୟନ୍ତ ହୋଇପାରେ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାମରା ଓ ପାରାଦୀପରେ ୧୦ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଅର୍ଥାତ ଏହି ଅଂଚଳକୁ ସର୍ବାଧିକ ବିପଦ ରହିଛି । ସେହିପରି ପୁରୀକୁ ୮ ନମ୍ବର ବିପଦ ସଂକେତ ଓ ଗୋପଳପୁରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ବାତ୍ୟା ସ୍ଥଳଭାଗ ଛୁଇଁବା ପରେ କିଛି ଘଂଟା ଧରି ଏହା ସ୍ଥଳଭାଗରେ ତାଣ୍ଡବ ରଚିବାର ଆଶଙ୍କା ରହିଛି । କାରଣ ବର୍ଷା ସାଙ୍ଗକୁ ପବନ ବହୁଥିବାବେଳେ ଲୁଣି ପାଣି ମାଡି ଆସିଲେ ତଳିଆ ଅଂଚଳର ଲୋକଙ୍କ କଷ୍ଟକୁ ଏହା ବହୁ ଗୁଣରେ ବଢ଼ାଇ ଦେବ ।