ସାଂସଦ ମହେଶ ସାହୁ ଲଢିବେ ବିଧାନସଭା ନିର୍ବାଚନ: ବାଲିକୁଦା-ଏରସମା ଓ ବରୀରେ ନୂଆମୁହଁ

324

କନକ ବ୍ୟୁରୋ: ବିଜେଡି ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୬ଟି ଆସନରୁ ୫ଟି ଆସନରେ ନୂଆମୁହଁ ଦେଇଛି ଶାସକ ଦଳ । ଏଥିମଧ୍ୟରୁ ୨ ବିଧାୟକଙ୍କ ପତ୍ନୀ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ମୟୂରଭଞ୍ଜ ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ହୋଇଥିବା ବେଳେ ଏବେ ତାଙ୍କ ପତ୍ନୀ ରଂଜିତା ମାରାଣ୍ଡିଙ୍କୁ ଦଳ ବାଙ୍ଗିରିପୋଷୀ ବିଧାୟକ ପ୍ରାର୍ଥୀ କରିଛି । ଏହି ପ୍ରାର୍ଥୀ ସହିତ ବିଜେଡି ମୋଟ୍ ୧୪୧ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ।

ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୂଆ ମୁହଁଙ୍କ ଦବଦବା ଦେଖିବାକୁ ମିଳିଛି । ତାଲିକାରେ ୪ ବିଧାୟକଙ୍କୁ ଟିକେଟ ଦେଇନାହିଁ ବିଜେଡି । ୬ଟି ଆସନରୁ ୫ଟି ଆସନର ନୂଆମୁହଁ ଅଛନ୍ତି ।

ହିନ୍ଦୋଳ: ମହେଶ ସାହୁ
ବାଲିକୁଦା- ଏରସମା : ସାରଦା ପ୍ରସନ୍ନ ଜେନା
କାକଟପୁର: ତୁଷାରକାନ୍ତି ବେହେରା
ରଘୁନାଥପାଲି: ଅର୍ଚ୍ଚନା ରେଖା ବେହେରା
ବାଙ୍ଗିରିପୋଷି: ରଂଜିତା ମାରାଣ୍ଡି
ବରୀ: ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି

ଏମାନଙ୍କ ମଧ୍ୟରୁ କେବଳ କାକଟପୁରରେ ତୁଷାରକାନ୍ତି ବେହେରାଙ୍କୁ ଦୋହରାଇଛି ବିଜେଡି । ଏହି ଆସନକୁ ନେଇ ଦୀର୍ଘଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା । ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇଙ୍କ ସ୍ଥାନରେ ପତ୍ନୀ ଅର୍ଚ୍ଚନା ରେଖା ବେହେରାଙ୍କୁ ମିଳିଛି ଟିକେଟ୍ । ଏ ସବୁଠାରୁ ବଡ କଥା ହେଲା. ମୟୁରଭଂଜ ଲୋକସଭା ଆସନରୁ ସୁଦାମ ମାର୍ଣ୍ଡି ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ପତ୍ନୀ ରଂଜିତା ମାର୍ଣ୍ଡିଙ୍କୁ ବାଙ୍ଗିରିପୋଷିରୁ ପ୍ରାର୍ଥୀ କରାଯାଇଛି । ୨୦୧୯ରେ ଏହି ଆସନରୁ ସୁଦାମ ମାର୍ଣ୍ଡି ଜିତି ବିଧାୟକ ହୋଇଥିଲେ ।

ବରୀରେ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱ ମଲ୍ଲିକ, ବାଲିକୁଦା-ଏରସମାରୁ ରଘୁନନ୍ଦନ ଦାସଙ୍କ ସ୍ଥାନରେ ସାରଦା ପ୍ରସନ୍ନ ଦାସ ଓ ହିନ୍ଦୋଳରେ ସୀମାରାଣୀ ନାୟକଙ୍କ ସ୍ଥାନରେ ମହେଶ ସାହୁ ପ୍ରାର୍ଥୀ ହେବେ । ଢେଙ୍କନାଳରୁ ସାଂସଦ ଥିବା ମହେଶ ସାହୁ ଏଥର ହିନ୍ଦୋଳରୁ ନିର୍ବାଚନ ଲଢିବେ । କୁହାଯାଉଥିଲା, ସାଂସଦ ଟିକେଟ କଟିବା ପରେ ସେ ଅସନ୍ତୁଷ୍ଟ ଥିଲେ । ତେଣୁ ତାଙ୍କୁ ବିଧାନସଭା ଟିକେଟ ଦେଇ ସନ୍ତୁଷ୍ଟ କରିଛି ବିଜେଡି । ଏପ୍ରିଲ ୨୦୧୯ରେ ବିଜେଡିରେ ଯୋଗ ଦେଇଥିବା ସାରଦା ପ୍ରସନ୍ନ ଜେନା ଓ ବିଶ୍ୱରଂଜନ ମଲ୍ଲିକଙ୍କ ଉପରେ ଏଥର ଭରସା କରିଛନ୍ତି ସୁୁପ୍ରିମୋ ।

ବର୍ତମାନ ୧୪୭ ଆସନ ମଧ୍ୟରୁ ୧୪୧ ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୩୭ ମହିଳା । ବାକି ୬ ଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଆସିବା ଆଶା କରାଯାଉଛି ।