୪ ବିଧାୟକଙ୍କ କଟିଲା ଟିକେଟ୍: ଅସନ୍ତୋଷ ଝାଡ଼ିଲେ ସୁନନ୍ଦା ଓ ରଘୁନନ୍ଦନ

214

କନକ ବ୍ୟୁରୋ: ଦଳ ପୁଣି ଭରସା କରିବ ବୋଲି ବରୀ ଏବଂ ବାଲିକୁଦ-ଏରସମା ବିଧାୟକ ଆଶା ରଖିଥିଲେ । କିନ୍ତୁ ଦଳର ସୁପ୍ରିମୋ ନୂଆ ମୁହଁ ଦେଇ ଚକମା ଦେଇଛନ୍ତି । ତେବେ ଦଳୀୟ ପ୍ରତିଦ୍ୱନ୍ଦୀ ଟିକେଟ୍ ପାଇବା ପରେ ଅସନ୍ତୋଷ ଝାଡିଛନ୍ତି ସୁନନ୍ଦା ଏବଂ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ । ଏହାରି ଭିତରେ ଢେଙ୍କାନାଳର ବିଜେଡି ସାଂସଦ ମହେଶ ସାହୁଙ୍କୁ ହିନ୍ଦୋଳର ବିଧାୟକ ପ୍ରାର୍ଥୀ କରିଛି ଦଳ । ସେହିପରି ଅନ୍ୟସ୍ଥାନରେ ବିଧାୟକଙ୍କୁ ପତ୍ନୀଙ୍କୁ ପ୍ରାର୍ଥୀ କରି ଅସନ୍ତୋଷ ପ୍ରଶମିତ କରିବାକୁ ପ୍ରୟାସ କରିଛି ବିଜେଡି ।

ସପ୍ତମ ପର୍ଯ୍ୟାୟରେ ୬ଟି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୫ ନୂଆ ମୁହଁକୁ ସୁଯୋଗ ଦିଆଯାଇଛି । କାକଟପୁରରୁ ତୁଷାରକାନ୍ତି ବେହେରାଙ୍କୁ ରିପିଟ୍ କରିଛି ଦଳ । ମୟୂରଭଂଜ ଲୋକସଭା ପାଇଁ ସୁଦାମ ମାର୍ଣ୍ଡିଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ପତ୍ନୀ ରଂଜିତା ମାର୍ଣ୍ଡିଙ୍କୁ ବାଙ୍ଗିରିପୋଷି ବିଧାନସଭା ପାଇଁ ଟିକେଟ୍ ଦେଇଛି ବିଜେଡି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୪ ବିଧାୟକଙ୍କ ଟିକେଟ୍ କଟିଯାଇଛି ।

କାହାର କଟିଲା          ବିଧାନସଭା                                   କାହାକୁ ମିଳିଲା
ରଘୁନନ୍ଦନ ଦାସ         ବାଲିକୁଦା- ଏରସମା                        ସାରଦା ପ୍ରସନ୍ନ ଜେନା
ସୁନନ୍ଦା ଦାସ              ବରୀ                                          ବିଶ୍ୱରଞ୍ଜନ ମଲ୍ଲିକ
ସୀମାରାଣୀ ନାୟକ    ହିନ୍ଦୋଳ                                       ମହେଶ ସାହୁ
ସୁବ୍ରତ ତରାଇ           ରଘୁନାଥପାଲି                                ଅର୍ଚ୍ଚନାରେଖା ବେହେରା

ବାଲିକୁଦା- ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ଚେହେରା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ଭରସା କରିଛି ଦଳ । ବରୀରେ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱ ରଂଜନ ମଲ୍ଲିକଙ୍କୁ ମିଳିଛି ଟିକେଟ୍ । ସେହିପରି ହିନ୍ଦୋଳରେ ସୀମାରାଣୀ ନାୟକଙ୍କ ସ୍ଥାନରେ ମହେଶ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ଅନ୍ୟପଟେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ସ୍ଥାନରେ ତାଙ୍କ ପତ୍ନୀ ଅର୍ଚ୍ଚନା ରେଖା ବେହେରାଙ୍କୁ ଟିକେଟ୍ ପ୍ରଦାନ କରାଯାଇଛି ।

ଦଳର ଏପରି ନିଷ୍ପତି ପରେ କ୍ଷୋଭ ପ୍ରକାଶ କରିଛନ୍ତି, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଓ ବରୀ ବିଧାୟିକା ସୁନନ୍ଦା ଦାସ । ରଘୁନନ୍ଦନ କହିଛନ୍ତି – ତାଙ୍କ ବିରୋଧରେ କିଛି ଅଣରାଜନୈତିକ ବ୍ୟକ୍ତି ଚକ୍ରାନ୍ତ କରିଛନ୍ତି । ସେହିପରି ବରୀ ବିଧାୟିକା ସୁନନ୍ଦା ଦାସ ମଧ୍ୟ କହିଛନ୍ତି, ଚକ୍ରାନ୍ତକାରୀଙ୍କ ପାଇଁ ତାଙ୍କ ଟିକେଟ୍ କଟିଛି ।

ଦଳୀୟ ଅସନ୍ତୋଷକୁ ରୋକିବା ପାଇଁ ଟିକେଟ୍ ଦେବା ବେଳେ ବେଶ ଅଙ୍କ କଷିଛନ୍ତି ବିଜେଡି ଶୀର୍ଷ ନେତୃତ୍ୱ । ଅତି ସତର୍କତାର ସହ ପର୍ଯ୍ୟାୟ କ୍ରମେ ପ୍ରାର୍ଥୀ ଘୋଷଣା କରାଯାଉଛି । ଏହା ସତ୍ୱେ ଯେଉଁ ନେତାଙ୍କ ଟିକେଟ୍ କଟିଛି, ସେମାନଙ୍କ ମଧ୍ୟରେ କ୍ଷୋଭ ବାରି ହୋଇ ପଡୁଛି । ନିକଟରେ ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ, ବିଶାଳ ସମାବେଶ କରି ଶକ୍ତି ଦେଖାଇଛନ୍ତି । ଏବେ ବିଧାୟକ ରଘୁନନ୍ଦନ ଦାସ ଓ ବିଧାୟିକା ସୁନନ୍ଦା ଦାସ କ୍ଷୋଭ ପ୍ରକାଶ କରିଛନ୍ତି ।