ନୀଳଗିରି ବିଧାୟକ ପ୍ରାର୍ଥୀ ଘୋଷଣା କରିନାହାନ୍ତି ତିନି ଦଳ । ଗୋଟିଏ ଲେଖାଏଁ ଆସନକୁ ଏକାଧିକ ଆଶାୟୀ, ବଢୁଛି ଦ୍ୱନ୍ଦ୍ୱ  ।

158

କନକ ବ୍ୟୁରୋ:ଦିନ ଗଡିବା ସହିତ ନୀଳଗିରି ରାଜନୀତି ଦିନକୁଦିନ ରୋଚକ ମୋଡ ନେବାରେ ଲାଗିଛି। ଛିଡୁ ନାହିଁ ଅଙ୍କ ମିଳୁନି ଟିକଟ । ଦ୍ୱନ୍ଦରେ ରହିଛନ୍ତି ଉଭୟ ନେତା ଓ ଜନତା। ଝୁଲନ୍ତା ଅବସ୍ଥାରେ ରହିଛି ନୀଳଗିରି ଆସନ।

ବାଲେଶ୍ୱର ଲୋକସଭା ଅଧିନସ୍ଥ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳିର ରାଜନୀତିରେ ଗୋଳମାଳିଆ ସ୍ଥିତି । ବିଜେପି, ବିଜେଡି ଓ କଂଗ୍ରେସ ରାଜ୍ୟର ଅଧିକାଂଶ ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ଘୋଷଣା କରି ସାରିଥିଲେ ବି ଏଠି ଟିକେଟ୍ ଝୁଲାଇ ରଖିଛନ୍ତି । ନୀଳଗିରି ବିଜେପିରେ ଆଗରୁ ସବୁକିଛି ଠିକ୍ ଠାକ୍ ଥିଲା, ହେଲେ ବିଧାୟକ ସୁକାନ୍ତ ନାୟକଙ୍କ ଦଳ ପରିବର୍ତନ, ରାଜନୈତିକ ସମୀକରଣକୁ ଜଟିଳ କରିଛି । ଚର୍ଚ୍ଚା ହେଉଛି, ଏକାଧିକ ଆଶାୟୀ ଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଅଙ୍କ ଛିଡୁନି । ବରିଷ୍ଠ ନେତ୍ରୀ ସୁଷମା ବିଶ୍ୱାଳ, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଡାକ୍ତର ପ୍ରତାପ ରଥ ଓ ତାପସ ମହାନ୍ତି ପ୍ରାର୍ଥୀ ଦୌଡରେ ରହିଛନ୍ତି ।

ବିଜେଡିରେ ବି ସମାନ ସ୍ଥିତି । ବିଧାୟକ ସୁକାନ୍ତ ନାୟକ ପଦ୍ମ ଛାଡି ଶଙ୍ଖ ଶିବିରରେ ମିଶିବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ୨୦୧୪ରେ ସୁକାନ୍ତ ନାୟକ ବିଜେଡିରୁ ବିଧାୟକ ହୋଇଥିବା ସୁକାନ୍ତ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ମିଶିଥିଲେ । ୧୯ରେ ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ପରାସ୍ତ କରି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ । ସୁକାନ୍ତ ଏବେ ପୁଣି ବିଜେଡିରେ ମିଶିବା ପରେ ଦଳରେ କନ୍ଦଳ ଦେଖାଦେଇଛି । ଉଭୟ ସୁକାନ୍ତ ଓ ସନ୍ତୋଷ ଟିକେଟ୍ ଆଶାୟୀ ଥିବା ବେଳେ ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରୁଛନ୍ତି ।

ଅନ୍ୟପଟେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱରେ ପଡିଛି । କାରଣ ନୀଳଗିରି ରାଣୀ ମନୋଜମଂଜରୀ ଦେବୀ ଟିକେଟ୍ ଦୌଡରେ ଥିବା ଚର୍ଚ୍ଚା ହେଉଥିଲା । ହେଲେ ରାଣୀ ନିର୍ବାଚନ ଲଢିବେ ନାହିଁ ବୋଲି ପିସିସି ସଭାପତିଙ୍କ ପାଖକୁ ଚିଠି ଲେଖିବା ପରେ ଦଳର ପୁରୁଣା ନେତାଙ୍କ ମଧ୍ୟରେ ଟିକେଟ୍ ପାଇଁ ଏକ ପ୍ରକାର ପ୍ରତିଯୋଗିତା ଲାଗିଛି ।