କନକ ବ୍ୟୁରୋ: ହରିୟାଣାର ନୂଆ ବିଜେପି ସରକାରରେ ବିଦ୍ରୋହ ଆଶଙ୍କା । ନେତୃତ୍ୱ ପରିବର୍ତ୍ତନ ପରେ ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଲେ ବରିଷ୍ଠ ନେତା ଅନୀଲ ବିଜ୍ । ମନୋହର ଲାଲ ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ ନୟାବ ସିଂହ ରାଜ୍ୟର ୧୨ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମଙ୍ଗଳବାର ସେ ୫ ଜଣ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଥିବା ବେଳେ ମନ୍ତ୍ରୀମଣ୍ଡଳରୁ ଦଳର ବରିଷ୍ଠ ନେତା ଅନୀଲ ବିଜଙ୍କୁ ବାଦ ଦିଆଯାଇଛି । ଏହାପରେ ଅନିଲ ବିଜ୍ ବିଦ୍ରୋହୀ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ କରାଯାଉଛି । କାରଣ ଶପଥ ଗ୍ରହଣ ପୂର୍ବରୁ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ନୟାବ ସାଇନିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଅନିଲ ବିଜ୍ ବୈଠକ ଛାଡ଼ି ନିଜ ଘର ଅମ୍ବାଲା ପଳାଇ ଆସିଥିଲେ । ଏହାପରେ ଅନିଲ ବିଜଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ଅନୀଲ ବିଜଙ୍କୁ ବୁଝାଇବାକୁ ଚେଷ୍ଟା ହୋଇଥିଲେ ମଧ୍ୟ ସେ ରାଜି ହୋଇନଥିଲେ । ଏହାପରେ ଶପଥ ସମାରୋହକୁ ମଧ୍ୟ ବର୍ଜନ କରିଥିଲେ । ଦଳୀୟ ନିଷ୍ପତିରେ ଅସନ୍ତୁଷ୍ଟ ଥିବା ଅନୀଲ ନିଜର ଅନୁଗତ ବିଧାୟକ ମାନଙ୍କୁ ନେଇ ବିଦ୍ରୋହ କରିବାର ଆଶଙ୍କା ରହିଛି । ତେବେ ଏହି ଆଶଙ୍କାକୁ ଏଡାଇବାକୁ ଦଳୀୟ ଶୀର୍ଷ ନେତୃତ୍ୱ କଣ ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ରହିଛି ।