ଭାରତରେ ଶେଷ ହେବ କରୋନାର ତୃତୀୟ ଲହର । ମାର୍ଚ୍ଚରେ ଏଣ୍ଡେମିକ୍ ସ୍ଥିତିରେ ପହଁଚିବ ମହାମାରୀ

313

କନକ ବ୍ୟୁରୋ: ମାର୍ଚ୍ଚ ମାସ ଭିତରେ ଦେଶରେ ଶେଷ ହେବ କରୋନାର ତୃତୀୟ ଲହର । ବିଶେଷଜ୍ଞଙ୍କ ଏଭଳି ଏକ ଆକଳନ ଦେଶବାସୀଙ୍କୁ ଆଶ୍ୱସ୍ତି ଦେଇଛି । ଦେଶରେ ତୃତୀୟ ଲହର ଫିକା ପଡୁଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି । ସେପଟେ ଦେଶରେ ଏବେ ବି ମୃତ୍ୟୁହାର ୧ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି ।

ଦେଶରେ ଧିରେ ଧିରେ ଧିମାଉଛି କରୋନା ସଂକ୍ରମଣ । ବିଶେଷକରି ମହାରାଷ୍ଟ୍ର ଓ ଦିଲ୍ଳୀରେ କରୋନା ମିଟର ତଳମୁହାଁ ରହିଛି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ତୃତୀୟ ଲହର ଶେଷ ହେବା ନେଇ ଆଇସିଏମଆର ଆକଳନ କରିଛି । ଆଇସିଏମଆର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ମଡେଲ ଅନୁସାରେ, ଫେବ୍ରୁଆରୀ ଶେଷ ସୁଦ୍ଧା ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ତୃତୀୟ ଲହର ଶେଷ ହୋଇଯିବ ।

ଫେବ୍ରୁଆରୀ ମାସ ଶେଷକୁ ବେଳକୁ ଏସବୁ ରାଜ୍ୟରେ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଆସିଯିବ । ସେହିପରି ଆଇସିଏମଆର ଓ ଲଣ୍ଡନ ଇମ୍ପେରିଆଲ କଲେଜ ଦ୍ୱାରା ବିକଶିତ କରାଯାଇଥିବା ମଡେଲ ଅନୁସାରେ, ମାର୍ଚ୍ଚ ବେଳକୁ ଦେଶରେ କୋଭିଡ୍ ସଂକ୍ରମଣ ଏଣ୍ଡେମିକ୍ ସ୍ଥିତିରେ ପହଁଚିଯିବ । ଯଦି କରୋନାର ନୂଆ ପ୍ରଜାତି ନ ଆସେ, ତେବେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ବୋଲି ଜଣାପଡିଛିି ।

ସେପଟେ ଦେଶରେ କରୋନାର ଦୈନିକ ସଂକ୍ରମଣ କମ୍ ହେଉତିବାବେଳେ ମୃତ୍ୟୁ ସଂଖ୍ୟା ଏବେ ବି ୧ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…

  • ୧,୨୭,୯୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
  • ମହାମାରୀରେ ୧,୦୫୯ ଜଣଙ୍କ ମୃତ୍ୟୁ ହୋଇଛି
  • ୨,୩୦,୮୧୪ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି
  • ଦେଶରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩,୬୧,୬୪୮ ରହିଛି

ଆଗାମୀ ତିନିରୁ ଚାରି ସପ୍ତାହ ମଧ୍ୟରେ ସାରା ଦେଶରେ ତୃତୀୟ ଲହରର ପ୍ରଭାବ ହ୍ରାସ ପାଇବ । ସେପଟେ କରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ଲୋକଙ୍କୁ ବାରମ୍ବାର ଅନୁରୋଧ କରି ଆସୁଛନ୍ତି । ଏହାଦ୍ୱାରା ମହାମାରୀ ସହ ମୁକାବିଲା କରିବା ସହଜ ହୋଇ ପାରିବ ବୋଲି କହୁଛନ୍ତି କେନ୍ଦ୍ର ସରକାର ।