ଫ୍ରାନ୍ସରେ କରୋନା ସଂକ୍ରମଣର ତୃତୀୟ ଲହର । ଗତ ୨୪ଘଂଟାରେ ୩୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ । ପ୍ୟାରିସ ସମେତ ୧୬ଟି ସହରକୁ ପୁଣି ଫେରିଲା ଲକଡାଉନ । 

95

କନକ ବ୍ୟୁରୋ: କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା କାରଣରୁ ପ୍ୟାରିସ ଓ ନାଇସ ଅଂଚଳ ସମେତ ୧୬ଟି ସହରରେ ମାସକ ପାଇଁ ଲାଗୁ ହେଲା ତାଲାବନ୍ଦ । ଗୁରୁବାର ଦିନ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ କ୍ୟାଷ୍ଟେକ୍ସ ତାଲାବନ୍ଦ ଘୋଷଣା କରିଛନ୍ତି । ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ମଙ୍ଗଳବାର ଦିନ କହିଥିଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ।

ଫ୍ରାନ୍ସରେ ଗତ ୨୪ଘଂଟାରେ ୩୫ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ତେବେ କେବଳ ପ୍ୟାରିସରେ ୧୨ଶହ ଜଣ ଇନଟେନସିଭ କେୟାର ଥିବାକୁ ନେଇ ଚିନ୍ତା ବଢିଯାଇଛି ।  ଶୁକ୍ରବାର ମଧ୍ୟରାତ୍ରରୁ ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ ଅର୍ଥାତ ମାସକ ପାଇଁ ନୂଆ କଟକଣା ଲାଗୁ କରାଯାଇଛି । ତେବେ ଗତ ବର୍ଷ ମାର୍ଚ୍ଚ ଏବଂ ନଭେମ୍ବରରେ ଲାଗୁ କରାଯାଇଥିବା କଟକଣା ଠାରୁ ନୂଆ କଟକଣାକୁ କୋହଳ କରାଯାଇଛି । ଫ୍ରାନ୍ସରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧ଲକ୍ଷ ୮୧ହଜାର ୬୦୭ରେ ପହଂଚିଥିବା ବେଳେ ୯୧ହଜାର ୬୭୯ଜଣଙ୍କର ମୃତ୍ୟୁ ହୋଇଛି ।

ପ୍ରଧାନମନ୍ତ୍ରୀ କ୍ୟାଷ୍ଟେକ୍ସ କହିଛନ୍ତି ଯେ, ଲୋକେ ଖୁବ ସତର୍କତାର ସହ ଘରୁ ବାହାରି ପାରିବେ  । କିନ୍ତୁ ସାମାଜିକ ଦୂରତା ଓ ମାସ୍କ ପରିଧାନ ନ କରି କେହି ପାର୍ଟି କରିବାକୁ ବା ଅନେକ ଲୋକଙ୍କୁ ଭେଟିବା ପାଇଁ ବନ୍ଧୁ ବାନ୍ଧବଙ୍କ ଘରକୁ ଯାଇ ପାରିବେ ନାହିଁ । ନୂଆ ଗାଇଡ ଲାଇନ ଅନୁସାରେ ଲୋକଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି ।

ଅନୁମତି ମିଳିଥିବା ଲୋକଙ୍କୁ କେବଳ ବାହାରେ ବୁଲାବୁଲି କରିବା ସହ ବ୍ୟାୟାମ କରିବାକୁ ବାହାରକୁ ଯାଇପାରିବେ । ରାତି ୭ଟାରୁ ରାତ୍ରିକାଳିନ କର୍ଫ୍ୟୁ ଲାଗୁ କରାଯିବ । ବହି ଦୋକାନ ଓ ସଙ୍ଗୀତ ଉପକରଣ ଦୋକାନ ସମେତ ଅତ୍ୟାବଶ୍ୟକ ବାଣିଜ୍ୟିକ ପ୍ରତିଷ୍ଠାନ ଓ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଖୋଲା ରହିବାକୁ ଅନୁମତି ଦିଆଯାଇଛି ।