କନକ ବ୍ୟୁରୋ: କେବେ ଆସିବ ଦେଶରେ କରୋନାର ତୃତୀୟ ଲହର । ଏହା ଏବେ ଏକ ବଡ଼ ପ୍ରଶ୍ନ ପାଲଟିଥିବା ବେଳେ ଏପ୍ରସଙ୍ଗରେ ଉତର ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ଯଦି ଲୋକ କୋଭିଡ ନିୟମ ପାଳନ ନ କରନ୍ତି ଓ ଖାମଖିଆଲି ବ୍ୟବହାର କରନ୍ତି, ତାହେଲେ ଦେଶରେ ଆସନ୍ତା ୬ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଦେଖାଦେଇପାରେ ବୋଲି ସେ ସତର୍କ କରିଛନ୍ତି ।
ଯେ ପର୍ଯ୍ୟନ୍ତ ଦେଶର ବହୁ ପରିମାଣର ଲୋକଙ୍କୁ ଟିକାକରଣ ନସରିଛି, ସେଯାଏଁ କୋଭିଡ ନିୟମକୁ ଠିକ୍ ଭାବେ ପାଳନ କରିବା ଜରୁରୀ । ଟିକାକରଣକୁ ଅଧିକ ବଢ଼ାଇବା ଉପରେ ମଧ୍ୟ ଗୁଲେରିଆ ଗୁରୁତ୍ୱ ଦେଇଛନ୍ତି । କୋଭିଡ ହଟସ୍ପଟ ଗୁଡ଼ିକ ଉପରେ କଡ଼ା ନଜର ରଖାଯିବା ଦରକାର ବୋଲି ସେ କହିଛନ୍ତି । ସେପଟେ ଭାରତରେ ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିପାରେ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ପୂର୍ବାନୁମାନ କରିଛନ୍ତି ।
ଶୁକ୍ରବାର ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସରେ ଏନେଇ ଖବର ପ୍ରକାଶ ପାଇଥିଲା । ରଏଟର୍ସ ରିପୋର୍ଟ ଅନୁସାରେ ଭାରତରେ ଅକ୍ଟୋବରରେ ଭାରତରେ ତୃତୀୟ ଲହର ଆସିପାରେ । ହେଲେ ଏହା ଦ୍ୱିତୀୟ ଲହର ପରି ବେକାବୁ ହେବ ନାହିଁ ବୋଲି ରିପୋର୍ଟ କହିଛି । ସେପଟେ ଏବେ ଭାରତରେ ସଂକ୍ରମଣ କମୁଥିବା ବେଳେ ବିଭିନ୍ନ ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ଠାରୁ ତେଲେଙ୍ଗାନାରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ଦିଲ୍ଲୀରେ ପର୍ଯ୍ୟାୟ କ୍ରମେ ଅନଲକ୍ କରାଯାଉଛି ।