ତୃତୀୟ ଲହରରେ ଦେଖାଦେଉଛି ସାମାନ୍ୟ ଲକ୍ଷଣ । ଗଳା ବଥାରୁ ହେଉଛି ଆରମ୍ଭ, ଜାଣନ୍ତୁ ଦେଖାଦେଉଛି ଆଉ କେଉଁ ଲକ୍ଷଣ ।

933

କନକ ବ୍ୟୁରୋ : ରାଜ୍ୟରେ କରୋନାର ତୃତୀୟ ଲହରରେ ସାମାନ୍ୟ ଲକ୍ଷଣ ଦେଖାଦେଉଛି । ଗଳା ବଥାରୁ ଆରମ୍ଭ ହେଉଛି ସଂକ୍ରମଣ । ୨ରୁ ୩ ଦିନ ନାକ ବନ୍ଦ ରହୁଛି, ମୁଣ୍ଡ ବ୍ୟଥା ଓ ଦେହ ହାତ ଦରଜ ହେଉଛି । ଭୂତାଣୁ ନାକ ଓ ଗଳାରେ ରହୁଛି, ଛାତିକୁ ଆସୁନାହିଁ, ତେଣୁ ରୋଗୀ ୩-୪ ଦିନରେ ସୁସ୍ଥ ହୋଇଯାଉଛନ୍ତି ।

ତେବେ ଏଥିପାଇଁ ଅଧିକ ଔଷଧ ଖାଇବାର ଆବଶ୍ୟକତା ନାହିଁ । ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଜଣେ ସଂକ୍ରମିତ ୭ ଦିନ ପରେ ଅନ୍ୟମାନଙ୍କ ପାଇଁ କ୍ଷତିକାରକ ହୋଇନପାରନ୍ତି । ତେଣୁ ଭୟଭୀତ ନହୋଇ ଘରେ ୭ ଦିନ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଆଜି କୋଭିଡ-୧୯ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି । ଯେଉଁମାନେ କରୋନା ଟିକା ନେଇ ସାରିଛନ୍ତି, ସେମାନେ ଅବହେଳା କରୁଛନ୍ତି । ତୃତୀୟ ଲହରରେ ଯେଉଁମାନେ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଠାରେ ଲକ୍ଷଣ ୨ରୁ ୩ ଦିନ ରହୁଛି । ଅନ୍ୟ ଲହର ତୁଳନାରେ ଶୀଘ୍ର କମୁଛି । ଅନ୍ୟ ଲହର ପରି ଆଘ୍ରାଣ ଶକ୍ତି କମିବା ଲକ୍ଷଣ ଏଥିରେ ଦେଖା ଦେଉନି ।

ରାଜ୍ୟରେ କୋଭିଡର ତୃତୀୟ ଲହର ବର୍ଷ ଆରମ୍ଭ ହୋଇଯାଇଛି । କୋଭିଡର ଏହି ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାରରୁ ଅଧିକ ରହୁଛି । କିଛି ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ରହିବାର ଆବଶ୍ୟକତା ପଡୁଛି । ଅଧିକାଂଶ ଲୋକଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି । ସାମାନ୍ୟ ଲକ୍ଷଣ ଦେଖି ବ୍ୟକ୍ତି ହୋମ୍‌ ଆଇସୋଲେସନ୍‌ରେ ରହୁଛନ୍ତି ।

ବିଶେଷଜ୍ଞ ଡାକ୍ତର କହିଛନ୍ତି ଯେ, ଟିକା ନେଇସାରିଥିବା ଲୋକଙ୍କର ଚିନ୍ତା ଯେ, ସେମାନେ କରୋନାରୁ ସୁରକ୍ଷିତ ଅଛନ୍ତି । କିନ୍ତୁ ଏହା ଭାବିବା ଭୁଲ । କାରଣ ଟିକା ନେଇଥିଲେ ବି କରୋନା ସଂକ୍ରମିତ ହେବା ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡ ସ୍ଥାନରୁ ଦୂରେଇ ରହିଲେ ଭଲ । କିଡ୍‌ନି, ଯକୃତ, ଫୁସ୍‌ଫୁସ୍‌, ଡାଇବେଟିସ୍‌ ରୋଗୀ କରୋନାରୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାର ଅଛି ।