ବିହାରରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ : କୋଭିଡ କଟକଣା ଭିତରେ ୭୮ ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ

୧୨ଶହ ୪ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨କୋଟିରୁ ଅଧିକ ଭୋଟର, ୧୦ରେ ଆସିବ ଫଳାଫଳ

97

କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ବିହାରରେ ଚାଲିଛି ତୃତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ । ୧୫ଟି ଜିଲ୍ଲାର ୭୮ଟି ଆସନ ପାଇଁ ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି । ସାମାଜିକ ଦୂରତା ରକ୍ଷା କରି ଓ କୋଭିଡ ଗାଇଡଲାଇନକୁ ପାଳନ କରି ଧାଡିରେ ଆସି ଭୋଟରମାନେ ମତ ସାବ୍ୟସ୍ତ କରୁଛନ୍ତି । ମତଦାନ କେନ୍ଦ୍ର ଆଗରେ ଗୋଲେଇ ଚିହ୍ନ ଦିଆଯାଥିବା ବେଳେ ସେଠାରେ ଠିଆ ହୋଇ ଭୋଟରମାନେ ନିଜ ପାଳି ଆସିବା ଯାଏଁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି ।

କୋଭିଡ ମହାମାରୀ କାଳରେ ନିର୍ବାଚନ ହେଉଥିବାରୁ ଏହାକୁ ନଜରରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚୂଡାନ୍ତ ପର୍ଯ୍ୟାୟ ମତଦାନରେ ୨କୋଟି ୩୫ଲକ୍ଷ ଭୋଟର ୧୨ଶହ ୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏମାନଙ୍କ ମଧ୍ୟରେ ୧୧୦ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଏହି ପର୍ଯ୍ୟାୟରେ ବିଜେପି ୩୫ଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବାର ବେଳେ ଜେଡିୟୁ ୩୭ଟି, ବିକାଶଶୀଳ ଇନସାନ ପାର୍ଟି ୫ଟି ଆସନରୁ ନିର୍ବାଚନ ଲଢୁଛନ୍ତି । ମହାମେଂଟରୁ ଆରଜେଡି ୪୬ଟି ଏବଂ କଂଗ୍ରେସ ୨୫ଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ମୋଟ ୩୩ହଜାର ୭୮୨ମତଦାନ କେନ୍ଦ୍ରରୁ ୪ହଜାର ୯ଶହ ୯୯ଟି କେନ୍ଦ୍ରକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସକାଳ ୭ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ତେବେ ନକ୍ସଲ ପ୍ରବଣ ବାଲ୍ମିକୀ ନଗର, ରାମନଗର, ସିମ୍ରି ଭକ୍ତିଆରପୁର ଏବଂ ମିହିଶିହି ଆସନରେ ଦିନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।