ଆସନ୍ତାକାଲିଠାରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଜାଣନ୍ତୁ କେମିତି ନେବେ ଟିକା, କେଉଁଠି କରିବେ ପଞ୍ଜିକରଣ?

269

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସର ବ୍ୟକ୍ତି, ୪୫ରୁ ୫୯ ବର୍ଷ ମଧ୍ୟରେ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବେ ସେମାନଙ୍କୁ ଟିକାକରଣ କରାଯିବ । ୨୦ ପ୍ରକାର ରୋଗକୁ ଗାଇଡଲାଇନ୍ରେ ଅନ୍ତର୍ଭୁକ୍ତ କରାଯାଇଛି ।

ସେମାନେ ଡାକ୍ତରଙ୍କଠାରୁ ପ୍ରମାଣପତ୍ର ଆଣି କୋ-ୱିନ୍ ଆପ୍ ଜରିଆରେ ନିଜର ନାମ ପଞ୍ଜିକରଣ କରିପାରିବେ । ତାପରେ ବିଭିନ୍ନ ପ୍ରକ୍ରିୟା ଶେଷ ହେବା ପରେ ସେମାନେ କେଉଁଠି ଓ କେତେବେଳେ ଟିକା ନେବେ ସେନେଇ ସୂଚନା ଦିଆଯିବ । ଟିକାକରଣ ପାଇଁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ବ୍ୟବସ୍ଥା ରହିଛି ।

ସରକାରୀ ହସ୍ପିଟାଲରେ ବିନା ଦେୟରେ ଟିକା ନେଇପାରିବେ । କିନ୍ତୁ ଘରୋଇ ହସ୍ପିଟାଲରେ ଅଢ଼େଇ ଶହ ଟଙ୍କା ଦେବାକୁ ପଡିବ । ଏଥିପାଇଁ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ସମେତ ୧୮୩ଟି ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।