କନକ ବ୍ୟୁରୋ: ଦେଶରେ ଷଷ୍ଠ ଓ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଜି ଗୋଟିଏ ଦିନରେ ସମ୍ବଲପୁର, ଭୁବନେଶ୍ୱର, କଟକ, ପୁରୀ, ଢ଼େଙ୍କାନାଳ ଓ କେନ୍ଦୁଝରରେ ଭୋଟିଂ ହୋଇଛି । ତେବେ ବିଭିନ୍ନ ସ୍ଥାନରୁ ହିଂସାର ଖବର ଭିତରେ ବୁଥ ରିଙ୍ଗିର ଅଭିଯୋଗ ବି ଆସିଛି, ଆଉ ଏସବୁ ଭିତରେ ପଡ଼ିଛି ତୃତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ କହିଛି, ସନ୍ଧ୍ୟା ୫ଟା ସୁଦ୍ଧା ପାଖାପାଖି ୬୦ ପ୍ରତିଶତ ମତଦାନ ହୋଇଛି ।
- ସରିଲା ତୃତୀୟ ପର୍ଯ୍ୟାୟ ମତଦାନ
- ଇଭିଏମରେ ସିଲ୍ ହେଲା ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ
- ବଡ଼ ନେତାଙ୍କ ପାଇଁ ଅଗ୍ନି ପରୀକ୍ଷା
ସମ୍ବଲପୁର, ଭୁବନେଶ୍ୱର, କଟକ, ପୁରୀ, ଢ଼େଙ୍କାନାଳ ଓ କେନ୍ଦୁଝର ଏବଂ ଏହି ୬ ଲୋକସଭା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମୋଟ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା । ଏହା ସହ ରାଜ୍ୟ ରାଜନୀତିର ବହୁ ତୁଙ୍ଗ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।
ଧର୍ମେନ୍ଦ୍ର ପ୍ରଧାନ, ପ୍ରଣବ ପ୍ରକାଶ ଦାସ, ଅପରାଜିତା ଷଡ଼ଙ୍ଗୀ, ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୟନାରାୟଣ ମିଶ୍ର, ଜୟଦେବ ଜେନା, ଅରୁଣ ସାହୁ, ଅଶୋକ ପଣ୍ଡା, ଦେବୀପ୍ରସାଦ ମିଶ୍ର, ସଂଜୟ ଦାସବର୍ମା, ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଭଳି ବଡ଼ ବଡ଼ ନେତା ନିର୍ବାଚନ ରଣାଙ୍ଗନରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି । ତେବେ କିଛି ସ୍ଥାନରେ ତ୍ରିମୁଖୀ ପ୍ରତିଯୋଗିତା ହେଉଥିବା ବେଳେ ଅଧିକ ସ୍ଥାନରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିବା ଦେଖିବାକୁ ମିଳିଛି ।
୨୦୧୯ ଗଣିତ
- ୬ ଲୋକସଭା ଆସନରୁ ବିଜେଡି ୪ ଟି ଆସନ ପାଇଥିବା ବେଳେ ବିଜେପି ୨ ଆସନରେ ବିଜୟୀ ହୋଇଥିଲା
- ୪୨ ବିଧାନସଭାରୁ ବିଜେଡି ୩୪, ବିଜେପି ୬ ଓ କଂଗ୍ରେସ ୨ ଆସନରେ ସୀମିତ ରହିଥିଲା
ତେଣୁ ବିଜେଡି ପୁଣିଥରେ ନିଜ ଗଡ଼କୁ ରକ୍ଷା କରିପାରିବ ନା’ ଶାସକ ଦଳର ଗଣିତକୁ ଗଡ଼ବଡ଼ କରିଦେବ ବିଜେପି, ତା’ ଉପରେ ରହିଛି ସମସ୍ତଙ୍କ ନଜର । ପ୍ରଥମ ଦୁଇଟି ପର୍ଯ୍ୟାୟଠାରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ଲଢ଼େଇ ପାଲଟିଛି । କାରଣ ଏହିସବୁ ଆସନ ପାଇଁ ଜୋରଦାର କସରତ କରିଥିଲେ ଦୁଇ ଦଳର ଶୀର୍ଷ ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ ମାରାଥନ ପ୍ରଚାର କରିଥିଲେ । ତେଣୁ ବଡ଼ ବଡ଼ ନେତାଙ୍କ ପାଇଁ ଏହା ଅଗ୍ନି ପରୀକ୍ଷା ସଦୃଶ୍ୟ ହୋଇଛି । ଅନେକ ନେତାଙ୍କ ପାଇଁ କର ବା ମର ସ୍ଥିତି । ଜିତିଲେ, କ୍ଷମତା କେନ୍ଦ୍ରରେ ରହିବେ, ହାରିଲେ ରାଜନୈତିକ କ୍ୟାରିୟରରେ ଲାଗି ଯାଇପାରେ ଫୁଲ୍-ଷ୍ଟପ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/16-18.jpg)