ଆଜିଠାରୁ ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ । ବିଏମସି ଓ ଆରଏମଆରସିର ମିଳିତ ତତ୍ୱାବଧାନରେ ହେବ ନମୁନା ସଂଗ୍ରହ  : ଜଣାପଡିବ, କେତେ ଲୋକଙ୍କ ଦେହରେ ତିଆରି ହୋଇଛି ଆଂଟିବଡି 

37

କନକ ବ୍ୟୁରୋ : ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ । ବିଏମସି ଓ ଆରଏମଆରସିର ମିଳିତ ତତ୍ୱାବଧାନରେ ମୁନସିପାଲିଟି ଅଂଚଳରେ ହେବ ସର୍ଭେ । ଭୁବନେଶ୍ୱରରେ ଏବେ ଦିନକୁ ୪ ହଜାର ନମୁନା ପରୀକ୍ଷା କରାଯାଉଛି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱରରେ ସେରୋ ସର୍ଭେ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟ ପ୍ରଥମ ଭାଗରେ ଜୁନ୍ ମାସରେ ସଂକ୍ରମଣକୁ ନେଇ ସାଧାରଣ ବର୍ଗର ୧୬୦୦ ନମୁନା ସଂଗ୍ରହ କରାଯାଇଥିଲା, ସେଥିରୁ ମାତ୍ର ୧.୪ ପ୍ରତିଶତ ଲୋକଙ୍କ ଦେହରେ କୋଭିଡ୍-୧୯ ଭୂତାଣୁ ବିରୋଧରେ ଲଢ଼େଇ ପାଇଁ ଆଂଟବଡି ବା ରୋଗ ପ୍ରତିରୋଧ ଶକ୍ତି ତିଆରି ହୋଇଥିଲା । ଦ୍ୱିତୀୟ ଭାଗରେ ଅତି ସମ୍ବେଦନଶୀଳ ବର୍ଗର ୯୦୦ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା, ସେଥିରୁ ୧.୪ ପ୍ରତିଶତରୁ ସାମାନ୍ୟ ଅଧିକ ଲୋକଙ୍କ ଦେହରେ ରୋଗ ପ୍ରତିରୋଧ ଶକ୍ତି ତିଆରି ହୋଇଥିବା ଜଣାପଡିଥିଲା ।

ତେବେ ଭୁବନେଶ୍ୱରରେ ସଂକ୍ରମଣ ହାର ପୂର୍ବ ଅପେକ୍ଷା କମ୍ ହେଉଥିବାରୁ ବର୍ତମାନ କେତେ ଲୋକଙ୍କ ଦେହରେ ଆଂଟିବଡି ତିଆରି ହୋଇଛି ତାହା ଜାଣିବାକୁ ଉଦ୍ୟମ କରାଯିବ । ସରଳ ଭାଷାରେ କହିବାକୁ ଗଲେ ଏହା ଦ୍ୱାରା କେତେ ଲୋକ ଅଜାଣତରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି । ଆଉ ସେମାନଙ୍କ ଦେହରେ କରୋନା ବିରୋଧରେ ଲଢ଼େଇ ପାଇଁ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଛି ।