ଖୁବଶୀଘ୍ର ଭାରତରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ବରିଷ୍ଠ ଡାକ୍ତର କହିଲେ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହୋଇଛି ସଫଳ, ଦେଖାଯାଇନି ପାର୍ଶ୍ୱ ପ୍ରତିକ୍ରିୟା : ସୃଷ୍ଟି ହେଉଛି ଆଂଟିବଡି

292

କନକ ବ୍ୟୁରୋ : କରୋନା ସହ ଲଢେଇ କରୁଛି ସାରା ବିଶ୍ୱ । ଆଉ କରୋନାକୁ ମାତ ଦେବାକୁ ବିଶ୍ୱର ବିଭିନ୍ନ ଦେଶ ଟିକା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଭାରତର ଦେଶୀ କରୋନା ଭ୍ୟାକ୍ସିନ ତଥା ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଓ ଋଷର ସ୍ପୁଟନିକ ଭି ଏ ଦିଗରେ ଆଗରେ ରହିଛି ।

ଖୁବ ଶୀଘ୍ର ଭାରତରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ସମ୍ ହସପିଟାଲର ବରିଷ୍ଠ ଡାକ୍ତର ଇ. ଭେଙ୍କଟ ରାଓ । ସେ କୋଭାକ୍ସିନ ମାନବ ପରୀକ୍ଷଣ ପ୍ରକ୍ରିୟାର ଓଡିଶା ମୁଖ୍ୟ ଅଛନ୍ତି । ସେ କହିଛନ୍ତି, କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣ ସଫଳ ହୋଇଛି । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉ ନାହିଁ ଓ ଆଂଟିବଡି ବି ସୃଷ୍ଟି ହେଉଛି । ତେଣୁ ଆଶା କରାଯାଉଛି ତୃତୀୟ ପର୍ଯ୍ୟାୟ ବି ସଫଳ ହେବ ।

ଏହି ପର୍ଯ୍ୟାୟରେ ଦେଶର ୨୦ରୁ ୨୫ ହଜାର ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିବେ । ଯଦି ସବୁ ଠିକ୍ଠାକ୍ ଚାଲେ ତାହାହେଲେ ଟିକା ପ୍ରସ୍ତୁତ ହେବାକୁ ଆଉ ୪-୫ ମାସ ସମୟ ଲାଗିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚଳିତ ବର୍ଷ ଶେଷସୁଦ୍ଧା କିମ୍ବା ୨୦୨୧ ପ୍ରଥମରେ ଟିକା ଆସିବ ବୋଲି କହିସାରିଛି । ତେଣୁ ଆଶା କରାଯାଉଛି କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେବ ।