ବୁଦ୍ଧି ଖଟାଇ ଧରିଥିଲେ ଚୋର । କିନ୍ତୁ ଜାମିନରୁ ଆସିବା ପରେ ଚୋର ଧରିଥିବା ବ୍ୟକ୍ତିଙ୍କୁ ଧମକାଉଛନ୍ତି ଦୁର୍ବୃତ୍ତ, ପୋଲିସ ପାଖକୁ ଗଲେ ଆପୋଷ ବୁଝାମଣା କରିବାକୁ ପକାଉଛି ଚାପ

716

କନକ ବ୍ୟୁରୋ : ସ୍କାଏଲାଇଟ ଭାଙ୍ଗି ଚୋରି କଲେ ଲୁଟେରା । ଆଉ ଏହି ଲୁଟେରାଙ୍କ ପାଖରେ ପହଂଚିବା ପାଇଁ ଘରର ମାଲିକ ଏମିତି ଉପାୟ ଆପଣେଇଲେ , ଯେଉଁଥିରେ ସେ ଲୁଟେରାଙ୍କ ପାଖରେ ପହଂଚିପାରିଲେ । ପୋଲିସକୁ ଖବର ଦେବା ପରେ ୨ଜଣ ଡକାୟତ ଧରାପଡିଥିଲେ ସତ । କିନ୍ତୁ ଏହି ଡକାୟତମାନେ ମାନେ ଏବେ ଜାମିନ ଆସି ଘର ମାଲିକଙ୍କୁ ଧମକ ଚମକ ଦେଉଛନ୍ତି । ଏନେଇ ପୋଲିସ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି । ଥାନାକୁ ଗଲେ ପୋଲିସ କହୁଛି ଆପୋଷ ସମାଧାନ କରିଦିଅ ।

ଭଦ୍ରକ ଜିଲ୍ଲା ଗୁଆମାଳ ଗାଁର ଜଗବନ୍ଧୁ ମିଶ୍ରଙ୍କ ଏହି ଘରେ ସ୍କାଏଲାଇଟ ଭାଙ୍ଗି ଲୁଟ କରିଥିଲେ ଲୁଟେରା । ଘରେ କେହି ନଥିବାର ସୁଯୋଗ ନେଇ ୧୦ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୫୨ ହଜାର ଟଙ୍କା ଲୁଟ କରିଥିଲେ ଡକାୟତ । ଜଗବନ୍ଧୁ କୋଲକାତାରୁ ଫେରିବା ପରେ କେମିତି ହୋଇଥିଲା ଲୁଟ ତାର ଚେର ପାଖରେ ପହଂଚିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଜଗବନ୍ଧୁଙ୍କ ସନ୍ଦେହ ଥିଲା, ଯେହେତୁ ଚୋର ସ୍କାଏଲାଇଟ ଭାଙ୍ଗି ଘରେ ପଶିଛି ତା ଦେହରେ ନିଶ୍ଚିତ ଖଣ୍ଡିଆ ଥିବ । ଗାଁରେ ସେମିତି ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ ଜଗବନ୍ଧୁ । ଶେଷରେ ସେମିତି ଲୋକ ମିଳିଯାଇଥିଲେ । ଇଏ ହେଉଛନ୍ତି ସେହି ୨ ଲୁଟେରା । ତୁରନ୍ତ ପୋଲିସକୁ ଏନେଇ ଜଣାଇଥିଲେ ଜଗବନ୍ଧୁ ।

୨୦୧୯ ଅକ୍ଟୋବର ୧୦ ତାରିଖ ରାତିରେ ଏହି ଘଟଣା ଘଟିଥିବା ବେଳେ ଜଗବନ୍ଧୁଙ୍କ ଅଭିଯୋଗ ଆଧାରରେ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା । ଏପରିକି ପଲିଗ୍ରାଫ ଟେଷ୍ଟ ସମୟରେ ଚୋରି କରିଥିବା କଥାକୁ ସେମାନେ ସ୍ୱୀକାର କରିଥିଲେ । ହେଲେ ଲୁଟ ସାମଗ୍ରୀ ଏଯାଏଁ ଉଦ୍ଧାର ହୋଇନାହିଁ । ପରବର୍ତି ସମୟରେ ଏହି ଲୁଟେରାମାନେ ଜାମିନରେ ଆସି ଖୁଲମଖୁଲା ବୁଲୁଥିବା ଅଭିଯୋଗ ହୋଇଛି । ଏପରିକି ଏହି ପରିବାରକୁ ସେମାନେ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି ।

ଏବେ ଜଗବନ୍ଧୁଙ୍କ ପୁଅ ପୋଲିସ ପାଖରେ ଧମକ ଚମକ ହେଉଥିବା ନେଇ ଅଭିଯୋଗ କରିବାକୁ ଗଲେ ପୋଲିସ କହୁଛି ଆପୋଷ ସମାଧାନ କରିଦିଅ । ଏପରି ସ୍ଥିତିରେ ବଡ ବଡ ପୋଲିସ ଅଧିକାରୀଙ୍କ ପାଖରେ ଗୁହାରୀ କରି ନିରାଶ ହୋଇଛନ୍ତି ଜଗବନ୍ଧୁଙ୍କ ପରିବାର । କେବେ ସେମାନଙ୍କୁ ନ୍ୟାୟ ମିଳିବ ଏବଂ ଚୋରି ହୋଇଥିବା ସାମଗ୍ରୀ ଫେରିପାଇବେ ତାକୁ ଅପେକ୍ଷା କରି ବସିଛନ୍ତି ଜଗବନ୍ଧୁଙ୍କ ପରିବାର ଲୋକେ ।