ସ୍କୁଲରୁ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲା ଚୋର: କଳାପଟାରେ ଲେଖିଲା ଇଟସ ମି ଧୁମ୍-୪, କମିଙ୍ଗ ସୁନ୍

1,227

କନକ ବ୍ୟୁରୋ: ସ୍କୁଲରୁ ଚୋରି କରି କଳାପଟାରେ ଚୋର ଲେଖିଲା ଧୁମ୍ ଫର । ଆଉ ଏହି ଚୋରି ସ୍କୁଲ ପିଲା କରିଛନ୍ତି ବୋଲି କଳାପଟାରେ ଉଲ୍ଲେଖ ରହିଛି । ତେଣୁ ଯଦି ପାରୁଛ ତାହେଲେ ଧରିବାକୁ ଖୋଲା ଆହ୍ୱାନ କରିଛି ସଂପୃକ୍ତ ଚୋର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଂଟି ବ୍ଲକ ଖାତିଗୁଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଗତ ଶୁକ୍ରବାର ରଥଯାତ୍ରା ପାଇଁ ଛୁଟି ଥିଲା । ହେଲେ ଶନିବାର ସ୍କୁଲ ଫାଟକ ଖୋଲିବା ବେଳେ ବିଦ୍ୟାଳୟର ମୁଖ୍ୟ ଫାଟକର ଚାବି ଭଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା । ଏମିତିକି ପ୍ରଧାନଶିକ୍ଷକଙ୍କ କକ୍ଷରେ ଥିବା ଦୁଇଟି ତାଲା ଭାଙ୍ଗି କମ୍ପ୍ୟୁଟର, ଜେରକ୍ସ ମେସିନ୍, ଏବଂ ସାଉଣ୍ଡ ବକ୍ସ ଆଦି ଅନେକ ସାମଗ୍ରୀ ଚୋରି କରିଥିଲେ ।

ଚୋରି ହୋଇଥିବା ଏହି କମ୍ପ୍ୟୁଟରରେ ସ୍କୁଲର ବିଭିନ୍ନ ତଥ୍ୟ, ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ସହ ସ୍କୁଲ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ତଥ୍ୟ ଥିଲା । ଏହାପରେ କଳାପଟାରେ ‘ଇଟ୍ସ ମି ଧୁମ-ଫର ଲେଖିଛି । ଏପରିକି ଚୋର ଜଣଙ୍କ କମିଙ୍ଗ୍ ଶୁନ୍, ସ୍କୁଲ ପିଲା ଧରିପାରିଲେ ଧର ଏବଂ ଆମେ ପୁଣି ଆସିବୁ ବୋଲି ଲେଖିଛି । ଏଥିସହ ବ୍ଲାକ ବୋର୍ଡ ରେ କିଛି ମୋବାଇଲ ନମ୍ୱର୍ ଲେଖିଛନ୍ତି । ଯେଉଁଥିରେ ସ୍କୁଲ ଶିକ୍ଷକଙ୍କ ନମ୍ୱର୍ ମଧ୍ୟ ରହିଛି । ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ସ୍କୁଲ କର୍ତୃପକ୍ଷ ବିଦ୍ୟାଳୟରେ ପହଂଚିବା ପରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏଥିସହ ଚୋରମାନେ ବ୍ଲାକ୍ ବୋର୍ଡରେ ଲେଖିଥିବା ଲେଖାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ଖାତିଗୁଡ଼ା ଥାନାରେ ସ୍କୁଲ କର୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଂଚି ତଦନ୍ତ କରୁଛି ।